ଜଣେ ରାଜସ୍ବ ନିରୀକ୍ଷକଙ୍କ ଭରସାରେ କାର୍ଯ୍ୟାଳୟ

ମ.ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ବମକ, ସାଇଦଳଙ୍ଗା ଓ ମୁଡିଙ୍ଗ ଗ୍ରାମ ପଞ୍ଚାୟତକୁ ନେଇ ଗଠିତ ସାଇଦଳଙ୍ଗା ରାଜସ୍ୱ ନିରୀକ୍ଷକ(ଆର୍‌.ଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି କର୍ମଚାରୀ ଅଭାବ ଯୋଗୁଁ ସାଧାରଣ ଲୋକ ହତାଦର ହେଉଥିବା ଅଭିଯୋଗ ହୋଇଛି। ସରକାରୀ ସେବାଗୁଡିକୁ ଲୋକଙ୍କ ପାଇଁ ନିକଟରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରି ରାଜ୍ୟ ରାଜ କୋଷ ରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏଭଳି କର୍ମଚାରୀ ଅଭାବ ଯୋଗୁଁ ତାହା ସଠିକ୍ ଭାବରେ ଲୋକଙ୍କ ନିକଟରେ ପହଂଚି ପାରୁନାହିଁ। ସାଇଦଳଙ୍ଗା ଠାରେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଗଠନ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ଅନେକ ପଦବୀ ଖାଲି ପଡ଼ିଥିବାରୁ କାର୍ଯ୍ୟାଳୟର କାର୍ଯ୍ୟ ସଠିକ୍ ଭାବେ ହୋଇପାରୁନାହିଁ। ଅଭିଯୋଗ ମତେ, ଜଣେ କର୍ମଚାରୀଙ୍କ ଉପରେ ସମଗ୍ର କାର୍ଯ୍ୟାଳୟର ଦାୟିତ୍ୱ ନିର୍ଭର କରୁଥିବାରୁ ସାଧାରଣ ଲୋକଙ୍କ ଠିକ୍ ସମୟରେ କାର୍ଯ୍ୟ ହୋଇପାରୁନାହିଁ।  ଫଳରେ ଲୋକେ ଏହି କାର୍ଯ୍ୟାଳୟ ଓ କର୍ମଚାରୀ ପ୍ରତି ଆଶା କମିବାରେ ଲାଗିଛି। ଜମି ପଟ୍ଟା, ଆୟ ପ୍ରମାଣପତ୍ର, ବାସିନ୍ଦା ପ୍ରମାଣପତ୍ର, ଜାତି ପ୍ରମାଣପତ୍ର, ନକ୍ସା ଓ ଜମି ଦୀମାର୍କେଶନ ଭଳି ବିଭିନ୍ନ ରାଜସ୍ୱ ସମ୍ବନ୍ଧୀୟ କାମ ପାଇଁ ପ୍ରତିଦିନ ଦୂରଦୂରାନ୍ତରୁ ଲୋକମାନେ କାର୍ଯ୍ୟାଳୟକୁ ଆସୁଥିବା ବେଳେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳୁଛି। କର୍ମଚାରୀ ଅଭାବ ଯୋଗୁଁ ଫାଇଲ କାମ ଠପ୍ ପଡ଼ିଥିବାରୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଥିବା କୁହାଯାଉଛି। ସ୍ଥାନୀୟ ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଦୀର୍ଘଦିନ ଧରି ଖାଲି ପଦବୀ ପୂରଣ ନହେବାରୁ ସମସ୍ୟା ଦିନକୁ ଦିନ ଗମ୍ଭୀର ରୂପ ନେଉଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ଆବଶ୍ୟକୀୟ କର୍ମଚାରୀ ନିଯୁକ୍ତି କରି ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ଗଣମାଧ୍ୟମ ଜରିଆରେ ଅଞ୍ଚଳବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *