ସାପ କାମୁଡ଼ାରେ ନାବାଳିକାର ମୃତ୍ୟୁ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ତଥା ନର୍ଲା ଥାନା ମଧୁପୁର ଗାଁରେ ସାପ କାମୁଡ଼ାରେ ଜଣେ ନାବାଳିକାର ମୃତ୍ୟୁ ଘଟିଛି। ମୃତ ନାବାଳିକା ଜଣକ ମଧୁପୁର ଗାଁର ଚକ୍ର ମାଝୀଙ୍କ ଝିଅ ରାନୀ ମାଝୀ (୧୧)। ସେ ନିଜ ଘର ଦୁଆର ମୁହଁରେ ଥିବା ସଜନା ଗଛ ନିକଟରେ ଠିଆ ହୋଇଥିବାବେଳେ ଏକ ବିଷାକ୍ତ ସାପ ତାର ଡାହାଣ ହାତ ପାପୁଲିରେ କାମୁଡି ଦେଇଥିଲା। ସାପ କାମୁଡିବାର କିଛି ସମୟ ପରେ ହଠାତ ଅସୁସ୍ଥ ଅନୁଭବ କରିବା ସହିତ ତାକୁ ବାନ୍ତି ହୋଇଥିଲା। ପରେ ଘର ଲୋକଙ୍କୁ ସେ ସାପ କାମୁଡ଼ିଛି ବୋଲି କହିବା ପରେ ପରିବାର ଲୋକେ ତାକୁ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ସାପ କାମୁଡ଼ିଛି ବୋଲି କହିବା ପରେ ବି ସେଠାକାର ଡାକ୍ତର ମାତ୍ର ଗୋଟିଏ ଇଞ୍ଜେକ୍ସନ ଓ ସାଲାଇନ ଦେଇ କିଛି ହେବନି ଘରକୁ ନିଅ ବୋଲି ଫେରେଇ ଦେଇଥିଲେ। କିନ୍ତୁ ଘରକୁ ଫେରିବା ପରେ ନାବାଳିକାର ଅବସ୍ଥା ଗୁରୁତର ହେଵାକୁ ଲାଗିଲା। ନାବାଳିକାର ବାପା ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବାବେଳେ ଝିଅର ମାଆ ନିଜ ପାଖ ପଡ଼ୋଶୀ ତଥା ସମ୍ପର୍କୀୟଙ୍କ ସହିତ ମିଶି ଆଜି ସକାଳୁ ଭବାନୀପାଟଣା ନେଇଥିବାବେଳେ ସେଠାରେ ଚିକିତ୍ସାଧୀନ ଭାବେ ନାବାଳିକାର ମୃତ୍ୟୁ ଘଟିଥିଲା। ତେବେ ନାବାଳିକାର ଅବସ୍ଥା ଗୁରୁତର ଥିବା ଓ ସାପ କାମୁଡ଼ିଥିବା ହାତ କଳା ପଡୁଥିବା ଦେଖିବା ପରେ ବି ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଉଚ୍ଚତର ଚିକିତ୍ସା କିମ୍ବା ସ୍ଥାନାନ୍ତର ପାଇଁ ପରାମର୍ଶ ଦେବା ବଦଳରେ କିଛି ହେବନି ଘରକୁ ନିଅ ବୋଲି କହିବା ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅପରପକ୍ଷରେ ନାବାଳିକାଙ୍କ ମୃତ୍ୟୁକୁ ନେଇ ନର୍ଲା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାବେଳେ ରାତି ହୋଇଯିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ସଂରକ୍ଷିତ କରି ରଖାଯାଇଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ସେହିପରି ଖବର ପାଇ ମୃତ ନାବାଳିକାର ବାପା ଘରକୁ ଫେରୁଥିବାବେଳେ ଗାଁରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *