ଯାଜପୁର/କ୍ରାନ୍ତିକ୍ଷେତ୍ର (ପ୍ରଦୀପ କୁମାର ମଲ୍ଲିକ) : ଯାଜପୁର ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲକୁ ନେଇ ଖୋଲାମେଲା କଳାବଜାରୀ ଚାଲିଥିବା ଅଭିଯୋଗ ହେଉଛି। ଦିନକୁ ଦିନ ପରିସ୍ଥିତି ଏପରି ଭୟାବହ ହେଉଛି ଯେ, ସାଧାରଣ ଖାଉଟି ଏବେ ତେଲ ପାଇଁ ହାହାକାର କରୁଛନ୍ତି। ଜରୁରୀକାଳୀନ କାମ କିମ୍ବା ଚିକିତ୍ସା ପାଇଁ ଯାତ୍ରାରେ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ପେଟ୍ରୋଲ ପମ୍ପ ଆଗରେ ଲାଇନରେ ରହିବାକୁ ପଡୁଛି। କିଛି ପମ୍ପରେ “ତେଲ ନାହିଁ” ବୋର୍ଡ ଲଗାଯାଉଥିବା ବେଳେ, କେତେକ ସ୍ଥାନରେ “୫୦ ଟଙ୍କାରୁ ଅଧିକ ତେଲ ମିଳିବ ନାହିଁ” ବୋଲି ନିୟମ ଚାଲିଛି। ଫଳରେ ଗାଡ଼ି ଚାଳକ ଓ ସାଧାରଣ ଲୋକ ଚରମ ଅସୁବିଧାରେ ପଡୁଛନ୍ତି। ଦିନମଜୁରିଆଠାରୁ ଆମ୍ବୁଲାନ୍ସ ଚାଳକ ପର୍ଯ୍ୟନ୍ତ ସମସ୍ତେ ଏହି ଅବ୍ୟବସ୍ଥାର ଶିକାର ହେଉଛନ୍ତି। କିନ୍ତୁ ଚିତ୍ରର ଅନ୍ୟପଟ ଆହୁରି ଚମକଦାର। ଏକପଟେ ପମ୍ପରେ ତେଲ ନଥିବା ଦାବି କରାଯାଉଥିବା ବେଳେ, ଅନ୍ୟପଟେ ବଡ଼ ବଡ଼ ଜାର, ଡ୍ରମ ଓ କ୍ୟାନରେ ପେଟ୍ରୋଲ-ଡିଜେଲ ଭରି କଳାବଜାରୀମାନେ ଖୋଲା ବଜାରରେ ଚଢା ଦରରେ ବିକ୍ରି କରୁଛନ୍ତି। ସାଧାରଣ ଖାଉଟି ବାଧ୍ୟ ହୋଇ ଦୁଇଗୁଣା ଦରରେ ତେଲ କିଣୁଛନ୍ତି। ଅନେକ ଗ୍ରାମାଞ୍ଚଳରେ ରାତି ବେଳେ ଗୁପ୍ତ ଭାବେ ତେଲ ବିକ୍ରି ହେଉଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସୁଛି। ଏହାକୁ ନେଇ ସାଧାରଣ ଲୋକଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ ଘୁରି ବୁଲୁଛି — “ଯଦି ପେଟ୍ରୋଲ ପମ୍ପରେ ତେଲ ନାହିଁ, ତେବେ କଳାବଜାରୀଙ୍କ ପାଖକୁ ଏତେ ତେଲ ଆସୁଛି କେଉଁଠୁ?” ଲୋକଙ୍କ ଅଭିଯୋଗ, କିଛି ଅସାଧୁ ପେଟ୍ରୋଲ ପମ୍ପ ମାଲିକ ଓ କଳାବଜାରୀଙ୍କ ମଧ୍ୟରେ ମିଳିଭଗତ ନଥାନ୍ତା, ତେବେ ଏଭଳି ଭାବରେ ଦିନଦିପହରେ ତେଲର ଚୋରା ବ୍ୟବସାୟ ଚାଲିପାରୁ ନଥାନ୍ତା। ଖୋଲା ଆଖିଆଗରେ ତେଲ କଳାବଜାରୀ ଚାଲିଥିଲେ ମଧ୍ୟ କାହିଁକି ପ୍ରଶାସନ ନିରବ ଓ ଯାଞ୍ଚ ହେଉନାହିଁ ବୋଲି ଲୋକମାନଙ୍କ ମଧ୍ୟରେ କ୍ଷୋଭ ଦେଖାଦେଇଛି। କିଛି ସଚେତନ ନାଗରିକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ସବୁଠାରୁ ବଡ଼ କଥା ହେଲା, ଏହି ଅବ୍ୟବସ୍ଥା ପାଇଁ ଅକାରଣରେ ସରକାରଙ୍କ ଭାବମୂର୍ତ୍ତି ଖରାପ ହେଉଛି। ଲୋକଙ୍କ ମତରେ, ଯାଜପୁର ଜିଲ୍ଲା ପ୍ରଶାସନର ଅବହେଳା ଓ ନିଷ୍କ୍ରିୟତା ହିଁ ପରିସ୍ଥିତିକୁ ଆହୁରି ଗମ୍ଭୀର କରିଛି। ସମୟରେ କଠୋର ପଦକ୍ଷେପ ନିଆଯାଇଥାନ୍ତା, ତେବେ ସାଧାରଣ ଲୋକଙ୍କୁ ଏଭଳି ହନ୍ତସନ୍ତ ହେବାକୁ ପଡୁନଥାନ୍ତା। ଏବେ ଦାବି ଉଠୁଛି ଯେ, ଜିଲ୍ଲା ପ୍ରଶାସନ ତୁରନ୍ତ ସମସ୍ତ ପେଟ୍ରୋଲ ପମ୍ପ ଉପରେ ଚଢ଼ାଉ କରି ମହଜୁତ ତେଲର ଯାଞ୍ଚ କରୁ ଏବଂ କଳାବଜାରୀରେ ସଂପୃକ୍ତ ବ୍ୟକ୍ତି ଓ ସଂସ୍ଥାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ। ନଚେତ ଆଗାମୀ ଦିନରେ ଏହି ଅସନ୍ତୋଷ ଆହୁରି ତୀବ୍ର ହେବା ସହ ସରକାରଙ୍କ ଛବି ଉପରେ ଖରାପ ପ୍ରଭାବ ପଡ଼ିବ।

