ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ସହିଦ ରେଣ୍ଟୋମାଝୀ ମେଡିକାଲ କଲେଜରେ ବେଡ଼ ନ ମିଳିବାରୁ ଜଣେ ଗୁରୁତର ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଭିକାଝରଣ ଗାଁର ୩୧ ବର୍ଷୀୟ ରୋହିତ ସବରଙ୍କୁ ବେଡ଼ ନ ମିଳିବାରୁ ବାରଣ୍ଡାରେ ଚେୟାରରେ ବସାଇ ରଖାଯାଇଥିଲା। ସେଠାରେ ତାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଘଟଣାର ଭିଡିଓ ଭାଇରାଲ ହେବା ପରେ ଡିଫାଇନ କଳାହାଣ୍ଡି ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ, ଉଚ୍ଚସ୍ତରୀୟ ତଦନ୍ତ ଓ ମେଡିକାଲର ଅବ୍ୟବସ୍ଥା ଦୂର କରିବାକୁ ଦାବି କରାଯାଇଛି।ଏହି ଦାଵି ଯଦି ପୂରଣ ନ ହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନର ଚେତାବନୀ ମଧ୍ୟ ଦିଆ ଯାଇଛି।

