କଳାହାଣ୍ଡି/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳରୁ ଆସିଛି ଏକ ବଡ଼ ଖବର। ଗାଁ ଦାଣ୍ଡରେ ଖୁଲମଖୁଲା ବୁଲୁଛି ଜଙ୍ଗଲୀ ଭାଲୁ, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି କୋକୁଆ ଭୟ। ଜଙ୍ଗଲ କ୍ଷୟ ହେବା ଯୋଗୁଁ ଏବେ ଖାଦ୍ୟ ଅନ୍ବେଷଣରେ ବନ୍ୟଜନ୍ତୁ ଗାଁ ମୁହାଁ ହେଉଥିବା ବେଳେ, କୋକସରା ଫରେଷ୍ଟ ସେକ୍ସନର ଚିକିଲି ଗ୍ରାମରେ ଏଭଳି ଏକ ଆତଙ୍କିତ କଲାଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ସକାଳୁ ସକାଳୁ ଚିକିଲି ଗାଁ ଭିତରକୁ ହଠାତ୍ ପଶି ଆସିଥିଲା ଏକ ହିଂସ୍ର ଜଙ୍ଗଲୀ ଭାଲୁ। ଗାଁ ଦାଣ୍ଡରେ ଭାଲୁକୁ ଏପଟ ସେପଟ ବୁଲୁଥିବା ଦେଖି ଚିକିଲି ସମେତ ଆଖପାଖ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟ ସଞ୍ଚାର ହୋଇଥିଲା। ଆତଙ୍କିତ ଅବସ୍ଥାରେ କେହି କେହି ନିଜ ଜୀବନ ବିକଳରେ ଛାତ ଉପରକୁ ଚଢ଼ିଯାଇଥିଲେ ଏବଂ ସେଠାରୁ ଏହି ଦୃଶ୍ୟକୁ ନିଜ ମୋବାଇଲ୍ କ୍ୟାମେରାରେ କଏଦ କରିଥିଲେ। ଗ୍ରାମବାସୀଙ୍କଠାରୁ ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲା କୋକସରା ବନ ବିଭାଗର ଏକ ଟିମ୍। ଭାଲୁଟି କେଉଁଆଡ଼େ ଯାଉଛି, ତା’ର ଗତିବିଧି ଉପରେ ବନ କର୍ମଚାରୀମାନେ ତୀକ୍ଷ୍ଣ ନଜର ରଖିବା ସହ ସ୍ଥାନୀୟ ଲୋକଙ୍କୁ ସଚେତନ କରିଥିଲେ। ସୂଚନା ଅନୁସାରେ, ନିକଟସ୍ଥ ପାହାଡ଼ରୁ ଖାଦ୍ୟ ସନ୍ଧାନରେ ଏହି ଭାଲୁଟି ଗାଁ ଭିତରକୁ ଚାଲିଆସିଥିଲା। ତେବେ ବନ ବିଭାଗ ଓ ସ୍ଥାନୀୟ ଲୋକଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ବର୍ତ୍ତମାନ ଭାଲୁଟିକୁ ସୁରକ୍ଷିତ ଭାବେ ଜଙ୍ଗଲକୁ ଘଉଡ଼ାଇ ଦିଆଯାଇଥିବା ଜଣାପଡିଛି। ତେବେ ଭାଲୁଟି ଜଙ୍ଗଲକୁ ଫେରିଯାଇଥିଲେ ସୁଦ୍ଧା, ପୁଣିଥରେ ଏଭଳି ପରିସ୍ଥିତି ଉପୁଜିବା ଆଶଙ୍କାରେ ସ୍ଥାନୀୟ ଲୋକେ ଏବେ ମଧ୍ୟ ଆତଙ୍କିତ ଅଛନ୍ତି।

