ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର: କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକରେ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି। ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆୟୋଜିତ ଯୋଗ ଶିବିରରେ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ଯୁବକ-ଯୁବତୀ, ଛାତ୍ରଛାତ୍ରୀ ଓ ମହିଳାମାନେ ଯୋଗଦେଇ ଯୋଗାସନ ଅଭ୍ୟାସ କରିଥିଲେ। ଯୋଗ ମହୋତ୍ସବ ସମିତି ଏବଂ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁବଚରଣ ମୁଦୁଲିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଯୋଗ ଗୁରୁ ବିରଞ୍ଚି ନାରାୟଣ ମୁଣ୍ଡଛିନା ଏବଂ ସରକାରୀ ସ୍ୱୀକୃତିପ୍ରାପ୍ତ ଯୋଗଗୁରୁ ଲମ୍ବୋଦର ନାଏକ ଯୋଗାଭ୍ୟାସର ନେତୃତ୍ୱ ନେଇଥିଲେ।
ଏହି ଅବସରରେ ଯୋଗଗୁରୁମାନେ କହିଥିଲେ ଯେ, ଯୋଗ କେବଳ ଶାରୀରିକ ବ୍ୟାୟାମ ନୁହେଁ, ବରଂ ଏହା ଏକ ସୁସ୍ଥ ଓ ସନ୍ତୁଳିତ ଜୀବନଶୈଳୀର ମୂଳ ଆଧାର। ନିୟମିତ ଯୋଗାଭ୍ୟାସ ଦ୍ୱାରା ନିରୋଗ ଶରୀର, ମାନସିକ ଶାନ୍ତି ଓ ସାମାଜିକ ସୁସ୍ଥତା ହାସଲ କରାଯାଇପାରିବ। ସୁସ୍ଥ ପରିବାର, ସୁସ୍ଥ ସମାଜ ଏବଂ ସୁସ୍ଥ ଭାରତ ଗଠନରେ ଯୋଗର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେମାନେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ ଓ ରାଜନୈତିକ ସଂଗଠନର ପ୍ରତିନିଧିଙ୍କ ସହ ବିଜେପି ନେତା ଆଲୋକ କୁମାର ନାଏକ, ରାଧେକୃଷ୍ଣ ନାଏକ, ଅଭିରାମ ନାଏକ, ବିପିନ ବିହାରୀ ନାଏକ, ସୁଜାନ କୁମାର ନାଏକ, ଅଜିତ କୁମାର ନାଏକ, ଜତିସ କୁମାର ବେଣୁପାଣି ଓ ଭରତ ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ। ସେହିପରି ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶୁଭଜିତ ରଞ୍ଜନ ସ୍ୱାଇଁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁନାରାମ ସୋରେନ, ମିଶନ ଶକ୍ତି ବିପିସି ପ୍ରତାପ ନାଏକ, ଆବାସ ଯୋଜନା ସଂଯୋଜକ ରାଜେନ୍ଦ୍ର ନାରାୟଣ ଦେବ, ରଜନୀକାନ୍ତ ନାଏକ, ଅନାଦି ନାଏକ, ଜିତୁ ଦାସ ଓ ଆଶିଷ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ। ଯୋଗ ମାଧ୍ୟମରେ ସୁସ୍ଥ ଜୀବନ ଗଠନର ବାର୍ତ୍ତା ଦେଇ ଥୁଆମୂଳ ରାମପୁରରେ ପାଳିତ ଏହି ଆନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧିରେ ସହାୟକ ହୋଇଥିବା ମତ ପ୍ରକାଶ ପାଇଛି।

