କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ଯୋଗ ହେଉଛି ଶାରିରୀକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତାର ଏକ ବୈଜ୍ଞାନିକ ଓ ପ୍ରମାଣିତ ପଦ୍ଧତି। ନିୟମିତ ଯୋଗାଭ୍ୟାସ ଦ୍ଵାରା ଜୀବନ ଶୈଳୀ ଜନିତ ବିଭିନ୍ନ ପ୍ରକାରର ରୋଗକୁ ପ୍ରତିରୋଧ କରିବା ସହ ସୁସ୍ଥ ଓ ନିରାମୟ ଜୀବନଯାପନ କରାଯାଇ ପାରିବ ବୋଲି ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୬ ଅବସରରେ ପି.ଏମ୍.ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, କେସିଙ୍ଗା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ବାଗ ନିଜ ବକ୍ତବ୍ୟରେ ପରିପ୍ରକାଶ କରିଛନ୍ତି। ‘ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ’ ଶୀର୍ଷକ ବିଷୟବସ୍ତୁରେ ସୁସ୍ଥ ରହିବା, ମାନସିକ ସନ୍ତୁଳନ ବଜାୟ ରଖିବା ଏବଂ ଜୀବନର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ଯୋଗ ପ୍ରଶିକ୍ଷକ ରୂପେ ଅନନ୍ତ ବାଗ ଓ ତୁମେଶ୍ବର ଶବର ଉପସ୍ଥିତ ଛାତ୍ରଛାତ୍ରୀ ତଥା ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ଯୋଗାସନ ଓ ପ୍ରାଣାୟମ ପ୍ରଶିକ୍ଷଣ ଦେଇଥିଲେ। ପରିଶେଷରେ ଯୋଗକୁ ନିଜ ଜୀବନର ଏକ ବ୍ରତ ରୂପେ ଗ୍ରହଣ କରିବା ନିମନ୍ତେ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଶପଥ ପାଠ କରିଥିଲେ।ସେହିପରି ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ରେ ମଧ୍ୟ ୧୨ ତମ ଆନ୍ତର୍ଜାତିକ ଯୋଗ ଦିବସ ଆୟୋଜିତ ହୋଇଥିଲା।ଏଥିରେ ସ୍କୁଲ ର ଛାତ୍ରୀ ଙ୍କ ସମେତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ।

