ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ ଅଧିନ ପାପଡାହାଣ୍ଡି ବ୍ଲକ ପାତ୍ରିି ସଂରକ୍ଷିତ ଜଙ୍ଗଲ ରୁ ବନ ବିଭାଗ ତରଫରୁ ଶନିବାର ଅପରାହ୍ନ ୪ ଘଣ୍ଟ ସମୟରେ ଏକ ବାଘ ଛାଲ ଜବତ କରାଯାଇଛି। ଏଥିରେ ବାଘ ଛାଲ ଚୋରା ଚାଲାଣ କରୁଥିବା ଜଣେ ସନ୍ଧିଗ୍ଧ କୁ ବନ କର୍ମଚାରୀ ଗିରଫ କରିଛନ୍ତି। ତେବେ ଏଥିରେ ସମ୍ପୃକ୍ତ ଅନ୍ୟ ୨ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗିରଫ ଆସାମୀ ଜଣକ ଡାବୁଗାଁ ଥାନା ଅନ୍ତର୍ଗତ ଖଲିଗୁଡା ଗ୍ରାମ ର ଶିବୁନ ଟାକ୍ରୀ ବୋଲି ଜଣା ପଡିଛି। ଏ ନେଇ ବନ ବିଭାଗ ତରଫରୁଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି। ସୂଚନା ଅନୁଯାଇ ଶନିବାର ଅପରାହ୍ନ ୪ ଘଣ୍ଟ ସମୟରେ ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ପାତ୍ରି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପଛରେ ଥିବା ପାତ୍ରି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଜଣେ ସଂଧିଗ୍ଧ ବ୍ୟକ୍ତି ଏକ ବ୍ୟାଗରେ ରୟାଲ ବେଙ୍ଗଲ ( ମହାବଳ ) ବାଘ ଛାଲ ଚୋରା ଚାଲାଣ କରିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ନବରଙ୍ଗପୁର ବନ ଖଣ୍ଡ ଅଧିକାରୀ ଉଦୟନ ସୁବୁଦ୍ଧି କୌଣସି ସୂତ୍ରରୁ ଖବର ପାଇଥିଲେ। ଏସିଏଫ୍ ସୁବାଷ ଚନ୍ଦ୍ର ଖୁଣ୍ଟିଆ ଓ ଡାବୁଗାଁ ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ଭତରା ଙ୍କ ତତ୍ୱାବଧାନରେ ଏକ ମିଳିତ ଟିମ ପାତ୍ରି ଜଙ୍ଗଲ ଘେରାଉ କରିବା ସହ ଏକ ବାଇକ୍ ସହ ତିନି ଜଣ ସନ୍ଦିଗ୍ଧ ବ୍ୟକ୍ତି କୁ ଦେଖିଥିଲେ। ତେବେ ବନ କର୍ମଚାରୀଙ୍କୁ ଦେଖି ଦୁଇ ଜଣ ଜଙ୍ଗଲ ଭିତରେ ଦୌଡି ପଳାଇଥିଲେ। ବନ କର୍ମଚାରୀ ଜଣକୁ କାବୁ କରିଥିବା ବେଳେ ତା ନିକଟରୁ ଏକ ବ୍ୟାଗ ରେ ମହାବଳ ବାଘ ର ଛାଲ ଜବତ କରିଥିଲେ। ବାଘ ଛାଲ କୁ ସିଲାଇ କରାଯାଇ ବିକ୍ରି ଉଦ୍ଦେଶ୍ୟ ରେ ରଖା ଯାଇଥିଲା। ବନ କର୍ମଚାରୀ ବାଇକ୍ ସହ ଅଭିଯୁକ୍ତ ଶିବୁନ ଟାକ୍ରି କୁ ଗିରଫ କରାଯାଇ ଏଥିରେ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ତାହାର ଅଧିକ ତଦନ୍ତ ଜାରି ରହିଛି। ଅଭିଯୁକ୍ତ ଶିବୁନ ଟାକ୍ରି ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଁଳାଭଟ୍ଟା ଗ୍ରାମ ରେ ପାଷ୍ଟର କାର୍ଯ୍ୟ କରୁଥିବା ଜଣା ପଡିଛି।

