ଥୁଆମୂଳ ରାମପୁରରେ କଂଗ୍ରେସର କର୍ମୀ ସମ୍ମିଳନୀ

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସ୍ଥିତ ବରଙ୍ଗା ତୋଟା ଠାରେ ଥୁଆମୂଳ ରାମପୁର ପଞ୍ଚାୟତ କଂଗ୍ରେସ କମିଟି ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ କଂଗ୍ରେସ କମିଟି ସଭାପତି ମହେଶ୍ୱର ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ରାଜ୍ୟ ମହିଳା ଉପସଭାନେତ୍ରୀ ଦ୍ରୌପଦୀ ମାଝୀ, ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ମନୋରଞ୍ଜନ ନାଏକ, ବ୍ଲକ କଂଗ୍ରେସ କମିଟି ଉପସଭାପତି ରାଧେକୃଷ୍ଣ ଧ. ମାଝୀ, ସାଧାରଣ ସମ୍ପାଦକ କୁଞ୍ଜବିହାରୀ ନାଏକ, ବ୍ଲକ ଯୁବ କଂଗ୍ରେସ ସଭାପତି ରୁକ୍ତା ମାଝୀ, ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀ ଯୁବ ସଭାପତି ଜାଗାକାଳିଆ ନାଏକଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗଦେଇଥିଲେ।
ସମ୍ମିଳନୀରେ ବକ୍ତାମାନେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସଂଗଠନକୁ ଅଧିକ ସୁଦୃଢ଼ କରିବା, ଗ୍ରାମସ୍ତରରେ କଂଗ୍ରେସର ସାଙ୍ଗଠନିକ ଭିତ୍ତିକୁ ମଜବୁତ କରିବା ଏବଂ କର୍ମୀମାନଙ୍କୁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ଆଲୋଚନା ମାଧ୍ୟମରେ ଦଳର ଆଗାମୀ କାର୍ଯ୍ୟପନ୍ଥା ଓ ନିର୍ବାଚନୀ ରଣନୀତି ସମ୍ପର୍କରେ କର୍ମୀମାନଙ୍କୁ ଅବଗତ କରାଯାଇଥିଲା। ଏହି ଅବସରରେ ଥୁଆମୂଳ ରାମପୁର ପଞ୍ଚାୟତ କଂଗ୍ରେସ କମିଟିର ନୂତନ କମିଟି ମଧ୍ୟ ଗଠନ କରାଯାଇଥିଲା। ସର୍ବସମ୍ମତିକ୍ରମେ ରାମ ସିଂ ମାଝୀଙ୍କୁ ଉପସଭାପତି, ସୁଦର୍ଶନ ଗୌଡ଼ଙ୍କୁ ସାଧାରଣ ସମ୍ପାଦକ, ଖୁଜା ମାଝୀଙ୍କୁ ସହ ସମ୍ପାଦକ, ନବୀନ ନାଏକଙ୍କୁ କୋଷାଧ୍ୟକ୍ଷ, ମଧୁସୂଦନ ନାଏକଙ୍କୁ ଏସ୍‌ସି ସେଲ ସଭାପତି, ନରେନ୍ଦ୍ର ନାଏକଙ୍କୁ ଏସ୍‌ସି ସେଲ ଉପସଭାପତି, ନିକି ମାଝୀଙ୍କୁ ଏସ୍‌ଟି ସେଲ ସଭାପତି ଏବଂ ଶ୍ରୀମତୀ ମିଥିଲା ନାଏକଙ୍କୁ ମହିଳା ପଞ୍ଚାୟତ ସଭାନେତ୍ରୀ ଭାବେ ମନୋନୀତ କରାଯାଇଥିଲା। ସମ୍ମିଳନୀରେ ଘାସି ମାଝୀ, ଘାସିରାମ ନାଏକ, ହେମନ୍ତ ନାଏକ, ପରମେଶ୍ୱର ନାଏକ, ବଳଭଦ୍ର ନାଏକ, ଦୁର୍ଯ୍ୟୋଧନ ନାଏକ, ଗଣେଶ ଚନ୍ଦ୍ର ନାଏକ, ରାଜକୁମାରୀ ଧ. ମାଝୀ, ଜନନୀ ବିଶି, ଭାବନିକା ବାଗଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ସହିତ ସଭାର ସମାପନ ହୋଇଥିଲା।

Leave a Reply

Your email address will not be published. Required fields are marked *