କୋକସରା ଡାଲଗୁମାରେ ଚାଞ୍ଚଲ୍ୟ ; ରକ୍ତ ଜୁଡୁବୁଡୁ ଅବସ୍ଥାରେ  ମୃତଦେହ ଠାବ, ହତ୍ୟା ଅଭିଯୋଗ

କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କୋକସରାରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର। ଡାଲଗୁମା ଧାନ ମଣ୍ଡି ନିକଟସ୍ଥ ଘର ନିକଟରେ ଶୋଇଥିବା ବେଳେ ସନ୍ଦେହଜନକ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଠାବ ହୋଇଛି। ମୃତକ ଜଣକ ହେଲେ ଡାଲଗୁମା ଗାଁର ସୁକଦେବ ଧରୁଆ। ସେ ଗାଁ ମୁଣ୍ଡ ବଗିଚାରେ ଜଗୁଆଳି ଭାବେ କାମ କରୁଥିଲେ। ସକାଳୁ ସେ ଘରକୁ ନଫେରିବାରୁ, ତାଙ୍କ ଝିଅ ବଗିଚାକୁ ଯାଇଥିବା ବେଳେ  ଖଟିଆ ଉପରେ ବାପାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଥିବା ଦେଖିବାକୁ ପାଇଥିଲେ। ଖବର ପାଇ କୋକସରା ଥାନା ଅଧିକାରୀ ସୁଜ୍ଞାନ କୁମାର ବାରିକ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ। ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ସିଧାସଳଖ ଅଭିଯୋଗ ଆଣିଛନ୍ତି। ତାଙ୍କୁ ଟେକିନେଇ କେଉଁଠାରେ ହତ୍ୟା କରିବାପରେ ପୁଣି ଖଟିଆରେ ଆଣି ସୁଆଇ ଦେଇଥିବା ତାଙ୍କ ଝିଅ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ କୋକସରା ଥାନା ପୋଲିସ ପ୍ରାଥମିକ ତଦନ୍ତ ଜାରି ରଖିଥିବାବେଳେ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଭର୍ଷିତା ଆଡେପୁ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି। ସାଇଣ୍ଟିଫିକ୍ ଓ ସନ୍ଧାନୀ କୁକୁର ସାହାଯ୍ୟରେ ଅଧିକ ତଦନ୍ତ କରିବା ନେଇ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *