ସିଦ୍ଧି ଶ୍ରୀକ୍ଷେତ୍ର ତୁମୁରା ଜଗନ୍ନାଥ ମନ୍ଦିରରେ ଦେବ ସ୍ନାନଯାତ୍ରା

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର (ବ୍ରହ୍ମା ପ୍ରସାଦ କାଣ୍ଡ) : କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସିଦ୍ଧି ଶ୍ରୀକ୍ଷେତ୍ର ତୁମୁରା ଜଗନ୍ନାଥ ମନ୍ଦିରରେ ୨୧ତମ ଦେବ ସ୍ନାନଯାତ୍ରା ମହା ଆଡ଼ମ୍ବର ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ସକାଳୁ ନିର୍ଦ୍ଧାରିତ ନୀତିକାନ୍ତି ସମ୍ପନ୍ନ ହେବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ପାହାଣ୍ଡି ବିଜେରେ ସ୍ନାନ ମଣ୍ଡପକୁ ଆଣାଯାଇଥିଲା। ସେଠାରେ ୧୦୮ଟି ପବିତ୍ର କଳସର ଜଳରେ ମହାସ୍ନାନ କରାଯାଇଥିଲା। ମହାସ୍ନାନ ପରେ ତିନି ଠାକୁରଙ୍କୁ ଆକର୍ଷଣୀୟ ଗଜବେଶ (ହାତୀ ବେଶ)ରେ ସଜାଯାଇଥିଲା। ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିଲା। ସମଗ୍ର ମନ୍ଦିର ପରିସର ହରିବୋଲ ଧ୍ୱନି, ଭଜନ, କୀର୍ତ୍ତନ ଓ ଶଙ୍ଖନାଦରେ ମୁଖରିତ ହୋଇଉଠିଥିଲା। ଦେବ ସ୍ନାନ ପୂର୍ଣ୍ଣିମା ଜଗନ୍ନାଥ ସଂସ୍କୃତିର ଏକ ପ୍ରମୁଖ ପର୍ବ। ଏହି ଦିନ ମହାସ୍ନାନ ପରେ ମହାପ୍ରଭୁ ଅସୁସ୍ଥ ହୋଇଥିବାର ପ୍ରତୀକ ସ୍ୱରୂପ ଅନବସର ନୀତି ଆରମ୍ଭ ହୁଏ। ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ପରେ ନବଯୌବନ ଦର୍ଶନ ଅନୁଷ୍ଠିତ ହେବା ସହ ପବିତ୍ର ରଥଯାତ୍ରା ପାଳନ କରାଯିବ। ଦେବ ସ୍ନାନ ପୂର୍ଣ୍ଣିମା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଜଗନ୍ନାଥ ସଂସ୍କୃତିର ଭକ୍ତି, ସେବା, ଶୁଦ୍ଧି ଓ ସମର୍ପଣର ଏକ ମହାନ ପରମ୍ପରା ବୋଲି ସିଦ୍ଧି ଶ୍ରୀକ୍ଷେତ୍ର ତୁମୁରାର ବେଶକାର ସେବକ ଉପେନ୍ଦ୍ର ସାହୁ ମତ ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, ଏହି ପବିତ୍ର ପର୍ବ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ଆସ୍ଥା, ପ୍ରେମ ଓ ଆଧ୍ୟାତ୍ମିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିଥାଏ। ଏହି ଦେବ ସ୍ନାନ ପୂର୍ଣ୍ଣିମା ଉତ୍ସବରେ କର୍ତ୍ତା ଭାବେ ଉପମୁଖ୍ୟ ସେବକ ତପେଶ୍ୱର ନାଏକ ଓ ତାଙ୍କ ଧର୍ମପତ୍ନୀ ଯଜ୍ଞସେନୀ ନାଏକ, ଦୀନବନ୍ଧୁ ସାହୁ, ରୋମାଞ୍ଚଳ ସାହୁ, ତୁଙ୍ଗନାଥ ତେଜି, ନିରାକାର ସାହୁ, ବିଶ୍ୱବସୁ ଶବର ଭାବରେ ମାନଗୋବିନ୍ଦ ଶବର ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ। ମୁଖ୍ୟ ପୂଜକ ପ୍ରସନ୍ନ କର, ମାର୍କଣ୍ଡ ଖମାରୀ ଓ ପରୀକ୍ଷିତ ପଣ୍ଡାଙ୍କ ସହଯୋଗରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ସିନାପାଲି ଚକାଡୋଳା ଭଜନ ମଣ୍ଡଳୀ ପକ୍ଷରୁ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ତୁମୁରା ଗ୍ରାମର ସମସ୍ତ ସେବାୟତ, ସେବୀକା, ଆଜୀବନ ସଦସ୍ୟଙ୍କ ସହ ବିଭିନ୍ନ ଅଞ୍ଚଳରୁ ଏକ ହଜାରରୁ ଅଧିକ ଜଗନ୍ନାଥପ୍ରେମୀ ଭକ୍ତ ଯୋଗଦେଇଥିଲେ। ଉତ୍ସବ ଶେଷରେ ସମସ୍ତ ଭକ୍ତଙ୍କୁ ମହାପ୍ରସାଦ ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *