ଭାଲୁ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, ଖଣ୍ଡବିଖଣ୍ଡିତ ଅବସ୍ଥାରେ ମିଳିଲା ମୃତଦେହ

ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଝରିଗାଁ ବନ ସେକ୍ସନ ଅଧୀନ କୁସୁମୀ ଗ୍ରାମରେ ସୋମବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଭାଲୁ ଆକ୍ରମଣରେ କୁସୁମୀ ଗ୍ରାମର ପ୍ରାୟ ୪୦ ବର୍ଷୀୟ ଫଗୁଣୁ ଗୌଡ଼ଙ୍କ ମୃତ୍ୟୁ ଘଟିଛି। ସେ ପଦ୍ମ ଗୌଡ଼ଙ୍କ ପୁଅ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଝରିଗାଁ–ଉମରକୋଟ ମୁଖ୍ୟ ସଡ଼କ ପାର୍ଶ୍ୱରେ ଥିବା ଶୁଶ୍ମାନ ନିକଟସ୍ଥ ଜଙ୍ଗଲରେ ଫଗୁଣୁ ଗୌଡ଼ ଛେଳି ଚରାଇବାକୁ ଯାଇଥିବା ବେଳେ ହଠାତ୍ ତିନୋଟି ଭାଲୁ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଭାଲୁମାନଙ୍କ ଭୟଙ୍କର ଆକ୍ରମଣରେ ତାଙ୍କ ଶରୀର ଗୁରୁତର ଭାବେ କ୍ଷତବିକ୍ଷତ ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବନ ବିଭାଗର କର୍ମଚାରୀ ଓ ଝରିଗାଁ ଥାନାର ଏସ୍‌ଆଇ ଦିଲ୍ଲୀପ କୁମାର ବାରିକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ବନ ବିଭାଗ ଓ ପୁଲିସ ଘଟଣାର ତଦନ୍ତ ସହ ସମଗ୍ର ଘଟଣାର ଅନୁଧ୍ୟାନ କରୁଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *