ରକ୍ତମୁଖା ନରହନ୍ତା ଭାଲୁର ମୃତ୍ୟୁ; ପୋଷ୍ଟମର୍ଟମ ପରେ ନମୁନା ଭୁବନେଶ୍ୱରକୁ ପଠାଗଲା

ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁସୁମୀ ଶ୍ମଶାନ ଅଞ୍ଚଳରୁ ବନ ବିଭାଗ ଦ୍ୱାରା କାବୁ କରାଯାଇଥିବା ରକ୍ତମୁଖା ନରହନ୍ତା ଭାଲୁର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ନବରଙ୍ଗପୁରରେ ଭାଲୁର ପୋଷ୍ଟମର୍ଟମ କରାଯାଇଥିବା ବେଳେ ଅଧିକ ତଦନ୍ତ ପାଇଁ ଏହାର ନମୁନା ଭୁବନେଶ୍ୱର ସ୍ଥିତ ପରୀକ୍ଷାଗାରକୁ ପଠାଯାଇଛି।ସୂଚନାଯୋଗ୍ୟ ଯେ, ଗତ ୧୩ ତାରିଖରେ କୁସୁମୀ ଶ୍ମଶାନ ନିକଟରେ ଛେଳି ଚରାଉଥିବା ଫଗୁନୁ ଗୌଡ଼ (୩୦)ଙ୍କୁ ଭାଲୁଟି ଆକ୍ରମଣ କରି ହତ୍ୟା କରିଥିଲା। ଏହି ଘଟଣା ପରେ କୁସୁମୀ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହୁଥିଲେ। ପରିସ୍ଥିତିର ଗୁରୁତ୍ୱକୁ ଦେଖି ବନ ବିଭାଗ କର୍ମଚାରୀ ଏବଂ ନବରଙ୍ଗପୁରରୁ ଆସିଥିବା ରାପିଡ୍ ରେସ୍ପନ୍ସ ଟିମ୍ ଭାଲୁଟିକୁ ଟ୍ରାଙ୍କୁଲାଇଜର ମାଧ୍ୟମରେ କାବୁ କରି ଯନ୍ତାରେ ଭର୍ତ୍ତି କରି ପାପଡ଼ାହାଣ୍ଡିକୁ ନେଇଯାଇଥିଲେ। ପରେ ସେଠାରେ ଭାଲୁର ମୃତ୍ୟୁ ଘଟିଥିଲା। ତେବେ ଅତ୍ୟଧିକ ଚେତାବୁଡ଼ା ଔଷଧ ପ୍ରୟୋଗ ଯୋଗୁଁ କିମ୍ବା ଅନ୍ୟ କୌଣସି କାରଣରୁ ଭାଲୁର ମୃତ୍ୟୁ ଘଟିଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଭୁବନେଶ୍ୱରରୁ ଲ୍ୟାବ୍ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ନବରଙ୍ଗପୁର ଏସ୍‌ଏଫ୍‌ଓ ଦିବ୍ୟ ମାଧୁରୀ ସେଠୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *