ଧର୍ମଗଡ଼ରେ ସୋନମ ୱାଙ୍ଗଚୁକଙ୍କୁ ସମର୍ଥନ: ଧର୍ମେନ୍ଦ୍ର ପ୍ରଧାନଙ୍କ ବହିଷ୍କାର ଦାବି କରି ବିକ୍ଷୋଭ

ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର : ଦିଲ୍ଲୀରେ ସୋନମ ୱାଙ୍ଗଚୁକଙ୍କ ଦାବିକୁ ସମର୍ଥନ କରି ବିଭିନ୍ନ ସଂଗଠନ ପକ୍ଷରୁ ପାର୍ଲାମେଣ୍ଟ ଅଭିମୁଖେ ମାର୍ଚ୍ଚ କରାଯାଇଥିବା ବେଳେ, କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ରେ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଓଡ଼ିଶା ମୂଳନିବାସୀ ବହୁଜନ ମିଳିତ ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭ ସମୟରେ ସଂଗଠନର ସଦସ୍ୟମାନେ ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟୀ କରିଥିବା ବେଳେ, ୨୨ ଜଣ ମେଡିକାଲ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଦେଶ ପାଇଁ ଚିନ୍ତାର ବିଷୟ ବୋଲି ଅଭିଯୋଗ କରିଥିଲେ। ଧର୍ମେନ୍ଦ୍ର ପ୍ରଧାନ ନୈତିକ ଦାୟିତ୍ୱ ନେଇ ନିଜ ପଦରୁ ଇସ୍ତଫା ଦେବା ଉଚିତ ବୋଲି ସଂଘ କହିଥିଲା। ଯଦି ସେ ଇସ୍ତଫା ନ ଦିଅନ୍ତି, ତେବେ ପ୍ରଧାନମନ୍ତ୍ରୀ ତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲି ଦାବି କରାଯାଇଛି। ଉପଜିଲ୍ଲାପାଳ ଧର୍ମଗଡ଼ଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ଦାବିପତ୍ରରେ ସଂଘ ସୋନମ ୱାଙ୍ଗଚୁକଙ୍କ ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଜଣାଇଥିବା ସହ ସରକାରଙ୍କ ପକ୍ଷରୁ ତାଙ୍କ ପ୍ରତି କରାଯାଇଥିବା ବ୍ୟବହାରକୁ ଘୋର ନିନ୍ଦା କରିଛି। ଏହାସହ ଶିକ୍ଷାର ବୈଷୟିକତା, ରାଜନୀତିକରଣ ଓ ବେସରକାରୀକରଣକୁ ସଂଘ ଦୃଢ଼ ବିରୋଧ କରିଛି। ନୂତନ ଶିକ୍ଷାନୀତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ପ୍ରଭାବିତ କରୁଥିବା ବେଳେ, ଓଡ଼ିଶାରେ ପାଠ୍ୟପୁସ୍ତକ ପ୍ରକାଶନରେ ସୃଷ୍ଟି ହୋଇଥିବା ବିଭ୍ରାଟ ଶିକ୍ଷା ବ୍ୟବସ୍ଥାରେ ଅତ୍ୟଧିକ ରାଜନୈତିକ ହସ୍ତକ୍ଷେପର ପରିଣାମ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ସେହିପରି ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ପୋଲିସ ଦମନ କରିଥିବା ଘଟଣାକୁ ଗଣତନ୍ତ୍ର ବିରୋଧୀ ବୋଲି ବକ୍ତାମାନେ ଅଭିଯୋଗ କରିଥିଲେ। ଆଜିର ଏହି ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ମହାସଂଘର ରାଜ୍ୟ ସାଧାରଣ ସମ୍ପାଦକ ଦିଗାମ୍ବର ଦୁରିଆ, ଜିଲ୍ଲା ଉପଦେଷ୍ଟା ଡମ୍ବରୁଧର ଲହଜଲ, ବରିଷ୍ଠ ନାଗରିକ ପ୍ରମୋଦ ହଂସ, ବିଜୁ ଜନତା ଦଳ ବ୍ଲକ ସଭାପତି ଡାକେଶ୍ୱର ଲହଜଲ, ଖଗେଶ୍ୱର ନାଏକ, ସୌମ୍ୟ ରଞ୍ଜନ ନାଏକ, କ୍ଷୀରମୋହନ ପଟେଲ, ମସ୍ତକ ସୁନାନୀ, କାର୍ତ୍ତିକ ନାଗ, ମଧୁ ସାଗର, ମହାଦେବ ନାଗ, କ୍ଷେତ୍ର ସତନାମୀ, କିଶୋର ପଟେଲ, ମନୋଜ ବାଗ, ବନମାଳୀ ଶବର, ଟଙ୍କଧର ଶବର, ସମିତି ସଭ୍ୟ ଶଙ୍କର ନାଏକ, ଲକ୍ଷ୍ମଣ ମହାନନ୍ଦ, କେଦାର ଜାଲ, ସୌମ୍ୟ ଦାସ, ଥବିର ସାଗର, ଉଦିତ ଠାକୁର, ପ୍ରଦୀପ ସେଠିଆ ସମେତ ସଙ୍ଘ ର ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *