୩ ଘଣ୍ଟାର ଅପରେସନ୍ ପରେ ଉଦ୍ଧାର କଲା କମିଶନରେଟ୍ ପୁଲିସ
ଭୁବନେଶ୍ୱର/କ୍ରାନ୍ତିକ୍ଷେତ୍ର (ଯଯାତୀ କେଶରୀ ବେହେରା) : ଖୋର୍ଦ୍ଧାରୁ ଭୁବନେଶ୍ୱର ଫେରୁଥିବା ବେଳେ ଜଣେ ଅପରିଚିତ ବାଇକ୍ ଆରୋହୀଙ୍କଠାରୁ ଲିଫ୍ଟ ନେବା ଜଣେ ଯୁବତୀଙ୍କ ପାଇଁ ମହଙ୍ଗା ପଡ଼ିଛି । ଅଭିଯୋଗ ଅନୁସାରେ, ଯୁବକ ଜଣକ ତାଙ୍କୁ ଗନ୍ତବ୍ୟ ସ୍ଥାନକୁ ନେବା ପରିବର୍ତ୍ତେ ରାଜଧାନୀ ଉପକଣ୍ଠର ଏକ ସଂରକ୍ଷିତ ଜଙ୍ଗଲକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ । ତେବେ ଯୁବତୀଙ୍କ ସାହସ, ଉପସ୍ଥିତ ବୁଦ୍ଧି ଏବଂ କମିଶନରେଟ୍ ପୁଲିସର ତ୍ୱରିତ ପଦକ୍ଷେପ ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଛି । ପ୍ରାୟ ତିନି ଘଣ୍ଟାର ରୋମାଞ୍ଚକର ସର୍ଚ୍ଚ ଅପରେସନ୍ ପରେ ପୁଲିସ ଯୁବତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୋଗ ଅନୁସାରେ, ରବିବାର ଅପରାହ୍ଣ ପ୍ରାୟ ୪ଟା ସମୟରେ ଖୋର୍ଦ୍ଧାରୁ ଭୁବନେଶ୍ୱର ଆସିବା ପାଇଁ ଯୁବତୀ ଜଣକ ଗାଡ଼ିକୁ ଅପେକ୍ଷା କରୁଥିଲେ। ଏହି ସମୟରେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଅଞ୍ଚଳର ସୁନୀଲ ପାତ୍ର ନାମକ ଜଣେ ବାଇକ୍ ଆରୋହୀଙ୍କଠାରୁ ସେ ଲିଫ୍ଟ ନେଇଥିଲେ । କିନ୍ତୁ ଅଭିଯୁକ୍ତ ତାଙ୍କୁ ଭୁବନେଶ୍ୱର ନେବା ପରିବର୍ତ୍ତେ ଇନଫୋଭ୍ୟାଲି ଥାନା ଅନ୍ତର୍ଗତ ପିତାପଲ୍ଲୀ ନିକଟ ରତନପୁର ସଂରକ୍ଷିତ ଜଙ୍ଗଲକୁ ନେଇଯାଇଥିଲେ। ଜଙ୍ଗଲ ଭିତରେ ଅଭିଯୁକ୍ତ ଯୁବତୀଙ୍କ ସହ ଜୋରଜବରଦସ୍ତି କରି ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ତେବେ ଯୁବତୀ ସାହସର ସହ ପ୍ରତିରୋଧ କରିଥିଲେ ଏବଂ ସେଠାରୁ ଦୌଡ଼ି ପଳାଇଯାଇଥିଲେ। ଏହି ସମୟରେ ସେ ଉପସ୍ଥିତ ବୁଦ୍ଧି ଖଟାଇ ଜରୁରୀକାଳୀନ ସେବା ୧୧୨କୁ ଫୋନ୍ କରି ସମଗ୍ର ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସକୁ ଫୋନ୍ କରୁଥିବା ଦେଖି ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ। ଖବର ପାଇବା ମାତ୍ରେ ଏସିପିଙ୍କ ତତ୍ତ୍ୱାବଧାନରେ ଇନଫୋଭ୍ୟାଲି, ଜଟଣୀ ଓ ଖୋର୍ଦ୍ଧା ଥାନାର ଏକାଧିକ ପୁଲିସ ଟିମ୍ ରତନପୁର ଜଙ୍ଗଲରେ ପହଞ୍ଚି ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ଯୁବତୀଙ୍କ ମୋବାଇଲ୍ ଫୋନ୍ର ବ୍ୟାଟେରି ଶେଷ ହୋଇଯିବାରୁ ତାଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଘଞ୍ଚ ଜଙ୍ଗଲ, ଅନ୍ଧାର ପରିବେଶ ଏବଂ ଦୁର୍ବଳ ମୋବାଇଲ୍ ନେଟୱର୍କ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ତଥାପି ପୁଲିସ ହାର ନମାନି ଡ୍ରୋନ୍, ଡାକବାଜି ଯନ୍ତ୍ର, ଫାୟାର ଗନ୍ ଓ ଅନ୍ୟାନ୍ୟ ସର୍ଚ୍ଚ ଉପକରଣର ସହାୟତାରେ ଘଞ୍ଚ ଜଙ୍ଗଲ ଭିତରେ ପ୍ରାୟ ତିନି ଘଣ୍ଟା ଧରି ଅଭିଯାନ ଚଳାଇଥିଲେ। ଶେଷରେ ଜଙ୍ଗଲରେ ବାଟବଣା ହୋଇଥିବା ଯୁବତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ପରବର୍ତ୍ତୀ ସମୟରେ ପୁଲିସ ଅଭିଯୁକ୍ତ ସୁନୀଲ ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତାଙ୍କର ପୂର୍ବ ଅପରାଧିକ ରେକର୍ଡ ଯାଞ୍ଚ କରାଯାଉଛି। ପୁଲିସ କମିଶନର ଏସ୍. ଦେବଦତ୍ତ ସିଂହ ଏହି ଉଦ୍ଧାର ଅଭିଯାନ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଘଟଣା ପୁଣିଥରେ ପ୍ରମାଣ କରିଛି ଯେ, ରାସ୍ତାରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଲିଫ୍ଟ ନେବା କିମ୍ବା ମାଗିବା ବେଳେ ଅତ୍ୟନ୍ତ ସତର୍କ ରହିବା ଆବଶ୍ୟକ। କୌଣସି ବିପଦ ସ୍ଥିତିରେ ତୁରନ୍ତ ୧୧୨ ଜରୁରୀକାଳୀନ ସେବାକୁ ଫୋନ୍ କରିବା ଏବଂ ନିଜ ଲୋକଙ୍କୁ ଅବଗତ କରିବା ଜୀବନ ରକ୍ଷା କରିପାରେ।
(ବି.ଦ୍ର.: ଦୁଷ୍କର୍ମ ଉଦ୍ୟମ ସମ୍ପର୍କିତ ଏହି ଖବର ପୁଲିସର ପ୍ରାଥମିକ ସୂଚନା ଓ ଅଭିଯୋଗ ଆଧାରିତ। ତଦନ୍ତ ଶେଷ ହେବା ପରେ ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ।)
