ନିଟ୍‌ରେ କୃତୀ ଛାତ୍ରୀଙ୍କୁ ପଣ୍ଡରାମାଳି ସମାଜ ପକ୍ଷରୁ ସମ୍ବର୍ଦ୍ଧନା

ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ଅନ୍ତର୍ଗତ ଡୁମେରଗୁଡ଼ା ଗ୍ରାମର ସମାପିକା ସମଦର୍ଶିନୀ ନାଏକ ଏବଂ ରାଏନଗୁଡ଼ା ଗ୍ରାମର ପ୍ରିୟଦର୍ଶିନୀ ନାଏକ ନିଟ୍ (NEET) ପରୀକ୍ଷାରେ ସଫଳତା ହାସଲ କରି ସମଗ୍ର ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ସମାପିକା, ବେଣୁଧର ନାଏକ ଓ ନିରୁପମା ନାଏକଙ୍କ ଝିଅ ହୋଇଥିବା ବେଳେ ପ୍ରିୟଦର୍ଶିନୀ, ଜିତେନ୍ଦ୍ର କୁମାର ନାଏକ ଓ ସୌଦାମିନୀ ନାଏକଙ୍କ ଝିଅ ଅଟନ୍ତି। ଏହି ସଫଳତା ପାଇଁ  କଳାହାଣ୍ଡି ପଣ୍ଡରାମାଳି ସମାଜ ପକ୍ଷରୁ ଦୁଇ କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସମାଜର ଆଇନ ପରାମର୍ଶଦାତା ଦୁର୍ଗା ପ୍ରସାଦ ନାଏକଙ୍କ ନେତୃତ୍ୱ ଏବଂ ସଭାପତି ଈଶ୍ୱର ପୂଜାରୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ସାବିତ୍ରୀବାଇ ଫୁଲେଙ୍କ ଫୋଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ପରେ ଡୁମେରଗୁଡ଼ା ଓ ରାଏନଗୁଡ଼ାଠାରେ ଉଭୟ ଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସମାଜର କୁଳପତି ପ୍ରକାଶ ଚନ୍ଦ୍ର ନାଏକ ଆଗାମୀ ଦିନରେ ଶିକ୍ଷା ଓ ପ୍ରଶାସନିକ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ। ମଞ୍ଚ ପରିଚାଳନା କରି ଯୁବ ବାହିନୀ ସଭାପତି ଭବାନୀ ଶଙ୍କର ବଣିଆ ଏବଂ ଅନ୍ୟାନ୍ୟ ଅତିଥିମାନେ ଉଭୟ କୃତୀ ଛାତ୍ରୀ ଭବିଷ୍ୟତରେ ଜଣେ ଜଣେ ଦକ୍ଷ ଡାକ୍ତର ହୋଇ ସମାଜ ଓ ଦେଶର ସେବା କରିବେ ବୋଲି ଆଶା ପ୍ରକାଶ କରିଥିଲେ। ପଣ୍ଡରାମାଳି ସମାଜରୁ ଏହି ଦୁଇଜଣ ପ୍ରଥମ ମହିଳା ଡାକ୍ତର ହେବାକୁ ଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଏହି କାର୍ଯ୍ୟକ୍ରମରେ ସମାଜର ଉପସଭାପତି ରାଜେନ୍ଦ୍ର ଭୋଇ, ଯୁବ ବାହିନୀ ସମ୍ପାଦକ ଲୋକେଶ ନାଏକ, ଧର୍ମଗଡ଼ ଏନ୍ଏସି ଯୁବ ବାହିନୀ ସଭାପତି ସୌମ୍ୟ ରଞ୍ଜନ ନାଏକ, ବେଣୁଧର ନାଏକ, ଲୋକେଶ୍ୱର ପାରି, କାର୍ଗିଲ ବଣିଆ ଓ ସୁମିତ ବଣିଆ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ କୃତୀ ଛାତ୍ରୀଙ୍କ ପରିବାର ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *