ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲାରେ ସକ୍ରିୟ ଲଘୁଚାପ ପ୍ରଭାବରେ ଗତ କିଛି ଦିନ ଧରି ଲଗାଣ ବର୍ଷା ଜାରି ରହିଥିବାରୁ ଗୋଲାମୁଣ୍ଡା ବ୍ଲକରେ ବନ୍ୟାଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବ୍ଲକର ୨୮ଟି ଗ୍ରାମ ପଞ୍ଚାୟତ ଅଧୀନ ୧୨୭ଟି ରାଜସ୍ୱ ଗ୍ରାମରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଭିନ୍ନ ନାଳ ଓ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ପାଣି ଚାଷଜମି ଓ ଜନବସତିରେ ପଶିଯାଇଛି। ଅବିରତ ବର୍ଷାରେ ବ୍ଲକର ପିଚୁ, କଂକ୍ରିଟ, ମୁରୁମ ଓ ଗ୍ରାମ୍ୟ ରାସ୍ତାର ବହୁ ସ୍ଥାନ ଧୋଇଯାଇଥିବା ବେଳେ ଅନେକ ପୋଲ ଓ କଲଭର୍ଟ ଉପରେ ୩ରୁ ୪ ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଛି।

ଗୋଲାମୁଣ୍ଡା ରୁ ଗ୍ରୀଣ୍ଡୋଲ କୁ ସଂଯୋଗ କରୁଥିବା ରାସ୍ତା ଜୋର ପୋଲ ଉପରେ ୩ ଫୁଟ୍ ଉପରେ ପାଣି ଯାଉଥିବାରୁ ରାସ୍ତାରେ ଯିବାଆସିବା ବାଧାପ୍ରାପ୍ତ। ଫଳରେ ଅନେକ ଗ୍ରାମର ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି ଏବଂ ଆମ୍ବୁଲାନ୍ସ ସହ ଜରୁରୀକାଳୀନ ସେବା ପହଞ୍ଚିବାରେ ସମସ୍ୟା ସୃଷ୍ଟି ହୋଇଛି। ବ୍ଲକର ପ୍ରାୟ ୧,୭୭,୪୩୪ ଜନସଂଖ୍ୟା ଏହି ପରିସ୍ଥିତିରେ ପ୍ରଭାବିତ ହୋଇଛନ୍ତି। ବିଶେଷକରି ଶିଶୁ, ବୃଦ୍ଧ, ଗର୍ଭବତୀ ମହିଳା ଓ ରୋଗୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବନ୍ୟା ପାଣି ଘରେ ପଶିଯିବାରୁ ଚାଉଳ, ଆସବାବପତ୍ର ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ନଷ୍ଟ ହୋଇଛି। ପାନୀୟ ଜଳ ଉତ୍ସ ପ୍ରଦୂଷିତ ହେବାରୁ ବିଶୁଦ୍ଧ ପାଣି ପାଇଁ ମଧ୍ୟ ସମସ୍ୟା ଦେଖାଦେଇଛି।

କୃଷି ଉପରେ ନିର୍ଭରଶୀଳ ଗୋଲାମୁଣ୍ଡା ବ୍ଲକରେ ହଜାର ହଜାର ହେକ୍ଟର ଧାନ ଓ କପା ଚାଷ ବନ୍ୟା ପାଣିରେ ବୁଡ଼ି ନଷ୍ଟ ହେବାକୁ ବସିଛି। ଋଣ କରି ଚାଷ କରିଥିବା ଚାଷୀମାନେ ବ୍ୟାପକ କ୍ଷତି ଆଶଙ୍କାରେ ଚିନ୍ତାରେ ପଡ଼ିଛନ୍ତି। ଖବର ପାଇ ଦମକଳ ବାହିନୀ, ବ୍ଲକ ପ୍ରଶାସନ ଓ ଅନ୍ୟାନ୍ୟ ବିଭାଗ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଉଦ୍ଧାର ଓ ସହାୟତା କାର୍ଯ୍ୟ ଜାରି ରଖିଛନ୍ତି। ଗୋଲାମୁଣ୍ଡା ବିଡିଓ, ଅଗ୍ନିଶମ ବିଭାଗ ଓ ବିଦ୍ୟୁତ ବିଭାଗର ଅଧିକାରୀମାନେ କହିଛନ୍ତି ଯେ, ଖବର ମିଳିବା ମାତ୍ରେ ଟିମ୍ ପଠାଯାଉଛି ଏବଂ ସମ୍ଭବ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି। ଏପଟେ ପ୍ରଭାବିତ ଅଞ୍ଚଳର ଲୋକମାନେ କ୍ଷୟକ୍ଷତିର ତୁରନ୍ତ ସର୍ଭେ, ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ, ଧୋଇଯାଇଥିବା ରାସ୍ତାର ଶୀଘ୍ର ମରାମତି ଏବଂ ପ୍ରଭାବିତ ପରିବାରଙ୍କୁ ଆବଶ୍ୟକ ରିଲିଫ ସହାୟତା ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି।

