ବିଦ୍ୟୁତ୍ ବିଭାଗର ଅବହେଳା : କାଠ ଖୁଣ୍ଟରେ ଝୁଲୁଛି ହାଇଭୋଲ୍ଟେଜ୍ ବିଦ୍ୟୁତ୍ ତାର

କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କୁଟୁରୁ ସେକ୍ସନ ବିଦ୍ୟୁତ୍ ବିଭାଗର ଚରମ ଅବହେଳା ଓ ଦାୟିତ୍ୱହୀନତାର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି। କୋକସରା ବ୍ଲକ କାଶିବାହାଲ କେନାଲପଡା ଠାରେ ସଂଯୋଗ ହୋଇଥିବା ବିଦ୍ୟୁତ ତାର ଦୀର୍ଘ ଦିନ ହେବ ଏକ କାଠ ଖୁଣ୍ଟ ସାହାରାରେ ଝୁଲୁଛି, ଯାହା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ପ୍ରତି ମୂହୁର୍ତ୍ତରେ ବିପଦ ସୃଷ୍ଟି କରୁଛି। ପଡାବାସୀଙ୍କ ଅଭିଯୋଗ ଅନୁସାରେ, ଗତ ୪ ମାସ ତଳେ ଏଠାରେ ଥିବା ବିଦ୍ୟୁତ୍ ଖୁଣ୍ଟଟି ଭାଙ୍ଗି ଯାଇଥିଲା। ଏହାପରେ ବିଭାଗ ପକ୍ଷରୁ କୌଣସି ସ୍ଥାୟୀ ପ୍ରତିକାର ନକରାଯିବାରୁ ବାଧ୍ୟ ହୋଇ ଏକ ଅସ୍ଥାୟୀ କାଠ ଖୁଣ୍ଟ ସାହାଯ୍ୟରେ ତାର ଟାଣି ଲୋକଙ୍କ ଘରକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିଲା। ଏହି ବିପଦପୂର୍ଣ୍ଣ ବ୍ୟବସ୍ଥା ସମ୍ପର୍କରେ ଉପଭୋକ୍ତାମାନେ କୁଟୁରୁ ସେକ୍ସନ ବିଦ୍ୟୁତ୍ ବିଭାଗକୁ ବାରମ୍ବାର ଜଣାଇବା ପରେ, ବିଭାଗ ପକ୍ଷରୁ କେବଳ ଏକ ନୂତନ ସିମେଣ୍ଟ ଖୁଣ୍ଟ ଆଣି ପୋତାଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ଖୁଣ୍ଟ ପୋତିବାର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେହି ନୂଆ ଖୁଣ୍ଟକୁ ବିଦ୍ୟୁତ୍ ସଂଯୋଗ କରାଯାଇ ନାହିଁ। ବିଭାଗୀୟ କର୍ମଚାରୀମାନେ ଖୁଣ୍ଟ ପୋତି ଦେଇ ନିଜ କର୍ତ୍ତବ୍ୟ ଶେଷ କରିଦେଇଥିବା ବେଳେ, ଏବେ ବି ସେହି ବିପଦପୂର୍ଣ୍ଣ କାଠ ଖୁଣ୍ଟ ମାଧ୍ୟମରେ ହିଁ ହାଇଭୋଲ୍ଟେଜ୍ ତାର ଝୁଲି ରହିଛି। ଏହି ରାସ୍ତା ଦେଇ ପ୍ରତିଦିନ ପଡାବାସୀଙ୍କ ସହ ଛୋଟ ଛୋଟ ସ୍କୁଲ ଛାତ୍ରଛାତ୍ରୀମାନେ ଯାତାୟାତ କରୁଛନ୍ତି। ମୁଣ୍ଡ ଉପରେ ମରଣଯନ୍ତା ଭଳି ଝୁଲୁଥିବା ଏହି ତାର ଯୋଗୁଁ ସେମାନେ ସବୁବେଳେ ଭୟଭୀତ ଅବସ୍ଥାରେ ଯାତାୟାତ କରୁଥିବା କହିଛନ୍ତି। ବିଶେଷ କରି ବର୍ଷା ଦିନେ ଏହି କାଠ ଖୁଣ୍ଟ ଯୋଗୁଁ କାଳେ କେତେବେଳେ ବଡ଼ ଅଘଟଣ ଘଟିଯିବ, ସେହି ଚିନ୍ତାରେ ସ୍ଥାନୀୟ ଲୋକେ ଆତଙ୍କିତ ରହୁଛନ୍ତି। ବିଦ୍ୟୁତ୍ ବିଭାଗର ଏଭଳି ଚରମ ଅବହେଳାକୁ ନେଇ କେନାଲପଡାବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କୌଣସି ବଡ଼ ଅଘଟଣ ଘଟିବା ପୂର୍ବରୁ ସମ୍ପୃକ୍ତ ବିଭାଗ ତୁରନ୍ତ ଏହାର ମରାମତି କରି ନୂଆ ଖୁଣ୍ଟରେ ତାର ସଂଯୋଗ କରୁ ବୋଲି ଦାବି ହୋଇଛି। ଯଦି ଶୀଘ୍ର ଏହି ସମସ୍ୟାର ସମାଧାନ ନହୁଏ, ତେବେ ଆଗାମୀ ଦିନରେ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ପଡାବାସୀ ଚେତାବନୀ ଦେଇଛନ୍ତି। ଏନେଇ ବାରମ୍ବାର ଦାୟିତ୍ଵରେ ଥିବା ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *