ଖାଲଖମାରେ ପରିପୂର୍ଣ୍ଣ ଡୋକ୍ରିପଡା–ଆଟିଗାଁ ରାସ୍ତା, ଯାତାୟାତରେ ଦୁର୍ଦ୍ଦଶା

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର (ବ୍ରହ୍ମା ପ୍ରସାଦ କାଣ୍ଡ) : ଦୀର୍ଘ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ିରହିଛି ଡୋକ୍ରିପଡା–ଆଟିଗାଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ନିର୍ମିତ ରାସ୍ତା। ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହେବା ସହ ଅନେକ ସ୍ଥାନରେ ପିଚୁ ଉଠିଯାଇଛି। ଫଳରେ ଏହି ରାସ୍ତା ଦେଇ ଦୈନିକ ଯାତାୟାତ କରୁଥିବା ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେବା ସହ ଦୁର୍ଘଟଣା ଆଶଙ୍କାରେ ଯାତାୟାତ କରୁଛନ୍ତି। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ, ରାସ୍ତାର ଏଭଳି ଦୁରବସ୍ଥା ଯୋଗୁଁ ଏହା ଏବେ ମରଣଯନ୍ତାରେ ପରିଣତ ହୋଇଛି। ବର୍ଷା ଦିନରେ ସମସ୍ୟା ଆହୁରି ଗମ୍ଭୀର ହୋଇପଡ଼ୁଛି। ରାସ୍ତାର ଖାଲଖମାରେ ବର୍ଷାଜଳ ଜମି ରହିବା ଯୋଗୁଁ ଖାଲର ଗଭୀରତା ଜଣାପଡ଼ୁନାହିଁ। ଏହା ଫଳରେ ଦୁଇଚକିଆ ଯାନ ଚାଳକମାନେ ବିଶେଷ ଭାବେ ବିପଦରେ ପଡ଼ୁଛନ୍ତି। ରାତି ସମୟରେ ରାସ୍ତାର ଖାଲଖମା ଠିକ୍‌ ଭାବେ ଦେଖାଯାଉନଥିବାରୁ ଦୁର୍ଘଟଣାର ଆଶଙ୍କା ଆହୁରି ବଢ଼ୁଛି। ସ୍ଥାନୀୟ ଅଞ୍ଚଳବାସୀଙ୍କ କହିବା ଅନୁସାରେ, ଡୋକ୍ରିପଡା–ଆଟିଗାଁ ରାସ୍ତା ଦେଇ ପ୍ରତିଦିନ ବାଲି ବୋଝେଇ ଟ୍ରକ, ଟ୍ରାକ୍ଟର, ହାଇୱା ସମେତ ବିଭିନ୍ନ ଭାରୀ ଯାନ ଚଳାଚଳ କରୁଛି। ବିଶେଷକରି ବେଆଇନ ଭାବେ ବାଲି ପରିବହନ ହେଉଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଲଗାତାର ଭାରୀ ଯାନ ଚଳାଚଳ ଯୋଗୁଁ ରାସ୍ତାର ଅବସ୍ଥା ଦିନକୁ ଦିନ ଅଧିକ ଖରାପ ହେଉଥିବା ସେମାନେ କହିଛନ୍ତି। ବାଲି ବୋଝେଇ ଭାରୀ ଯାନଗୁଡ଼ିକ ରାସ୍ତା ଉପରେ ନିରନ୍ତର ଚଳାଚଳ କରୁଥିବାରୁ ରାସ୍ତାର ଅନେକ ସ୍ଥାନରେ ପିଚୁ ଉଠିଯିବା ସହ ଫାଟ ସୃଷ୍ଟି ହୋଇଛି। କେତେକ ସ୍ଥାନରେ ରାସ୍ତାର ଦୁଇପାର୍ଶ୍ୱ ମଧ୍ୟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳୁଛି। ଭାରୀ ଯାନ ଚଳାଚଳ ଉପରେ ନିୟନ୍ତ୍ରଣ ନ ରହିଲେ ଆଗାମୀ ଦିନରେ ରାସ୍ତାର ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼ିବ ବୋଲି ଲୋକେ ଆଶଙ୍କା କରିଛନ୍ତି। ଏହି ରାସ୍ତା ଉପରେ ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀ, ଚାଷୀ, ଚାକିରିଜୀବୀ ଓ ସାଧାରଣ ଲୋକଙ୍କ ଯାତାୟାତ ନିର୍ଭରଶୀଳ। ରୋଗୀଙ୍କୁ ଡାକ୍ତରଖାନାକୁ ନେବା ସମୟରେ ମଧ୍ୟ ରାସ୍ତାର ଦୁରବସ୍ଥା ଯୋଗୁଁ ଅନେକ ସମସ୍ୟା ହେଉଥିବା ଲୋକେ କହିଛନ୍ତି। ଖାଲଖମା ଯୋଗୁଁ ଯାନବାହନ ଧୀର ଗତିରେ ଚଳାଇବାକୁ ପଡ଼ୁଛି। ଗୋଟିଏ ପଟେ ଖାଲକୁ ଏଡ଼ାଇ ଯିବା ଏବଂ ଅନ୍ୟପଟେ ସାମ୍ନାରୁ ଭାରୀ ଯାନ ଆସିବା ଫଳରେ ଚାଳକମାନେ ବିପଜ୍ଜନକ ପରିସ୍ଥିତିରେ ପଡ଼ୁଛନ୍ତି। ଏହା ଯୋଗୁଁ ରାସ୍ତାରେ ଯେକୌଣସି ସମୟରେ ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ରାସ୍ତାର ଦୁରବସ୍ଥା ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ସମ୍ପୃକ୍ତ ବିଭାଗ ପକ୍ଷରୁ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନିଆଯାଉନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ରାସ୍ତାର ଏଭଳି ଦୁରବସ୍ଥା ସମ୍ପର୍କରେ ପ୍ରଶାସନ ଅବଗତ ଥିବା ସତ୍ତ୍ୱେ କାହିଁକି ନିରବ ରହୁଛି, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ବାଲି ପରିବହନ ସମ୍ପର୍କରେ ଉଠୁଥିବା ଅଭିଯୋଗର ସତ୍ୟତା ଯାଞ୍ଚ କରିବା ସହ ବାଲି ବୋଝେଇ ଯାନଗୁଡ଼ିକର କାଗଜପତ୍ର, ଅନୁମତି ଓ ନିର୍ଦ୍ଦିଷ୍ଟ ନିୟମ ଅନୁଯାୟୀ ପରିବହନ ହେଉଛି କି ନାହିଁ, ସେନେଇ ସମ୍ପୃକ୍ତ ବିଭାଗ ଯାଞ୍ଚ କରିବାକୁ ଦାବି ହୋଇଛି । ଅଞ୍ଚଳବାସୀ ଗ୍ରାମୀଣ ଉନ୍ନୟନ ବିଭାଗର ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଡୋକ୍ରିପଡା–ଆଟିଗାଁ ରାସ୍ତାର ସ୍ଥିତି ତୁରନ୍ତ ଯାଞ୍ଚ କରିବାକୁ ଦାବି କରିଛନ୍ତି। ରାସ୍ତାର ଖାଲଖମା ପୂରଣ, ଭାଙ୍ଗିଯାଇଥିବା ସ୍ଥାନର ମରାମତି ଓ ଆବଶ୍ୟକ ସ୍ଥାନରେ ନୂତନ ଭାବେ ପିଚୁ ପକାଇ ରାସ୍ତାକୁ ଯାତାୟାତ ଉପଯୋଗୀ କରିବାକୁ ଦାବି ହୋଇଛି । ଏଥିସହ ବାଲି ପରିବହନ ନେଇ ହୋଇଥିବା ଅଭିଯୋଗର ନିରପେକ୍ଷ ଯାଞ୍ଚ କରିବା, ଯଦି ବେଆଇନ ପରିବହନ ପ୍ରମାଣିତ ହୁଏ ତେବେ ସମ୍ପୃକ୍ତଙ୍କ ବିରୋଧରେ ଆଇନାନୁସାରେ କାର୍ଯ୍ୟାନୁଷ୍ଠାନ ନେବା ଏବଂ ରାସ୍ତାରେ ଭାରୀ ଯାନ ଚଳାଚଳ ଉପରେ ଆବଶ୍ୟକ ନିୟନ୍ତ୍ରଣ ଲଗାଇବାକୁ ଲୋକେ ଦାବି କରିଛନ୍ତି। ଦୀର୍ଘଦିନ ଧରି ରାସ୍ତାର ଏଭଳି ଦୁରବସ୍ଥା ଲୋକଙ୍କ ଯାତାୟାତକୁ ପ୍ରଭାବିତ କରୁଥିବାରୁ ଆଗାମୀ ଦିନରେ ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।