ଲକ୍ଷ ଲକ୍ଷ ଟଙ୍କାର କଲ୍ୟାଣ ମଣ୍ଡପ ଅବ୍ୟବହୃତ, ଅଳିଆ ପକାଇ ପରିବେଶ ଦୂଷିତ କରୁଛନ୍ତି ଲୋକେ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଲମପୁର ଅଞ୍ଚଳବାସୀଙ୍କ ବିବିଧ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ସୁବିଧା ପାଇଁ ପୂର୍ବ ସରକାରଙ୍କ ସମୟରେ ନିର୍ମିତ ‘ବିଜୁ କଲ୍ୟାଣ ମଣ୍ଡପ’ ଏବେ ସମ୍ପୂର୍ଣ୍ଣ ଅବହେଳିତ ଅବସ୍ଥାରେ। ଲକ୍ଷ ଲକ୍ଷ ଟଙ୍କାର ବ୍ୟୟବରାଦରେ ନିର୍ମିତ ଏହି ମଣ୍ଡପଟି ଆଜି ସରକାରୀ ରକ୍ଷଣାବେକ୍ଷଣର ଅଭାବରୁ ଅଳିଆ ଆବର୍ଜନାରେ  ପରିପୂର୍ଣ୍ଣ  ହୋଇଛି। ଗାଁ ଓ ପଡ଼ାଗୁଡ଼ିକରେ ସ୍ଥାନାଭାବ ହେତୁ ସଭାସମିତି, ବିବାହ ଓ ବ୍ରତଘର ଭଳି ଉତ୍ସବଗୁଡ଼ିକ ବାଧ୍ୟହୋଇ ରାସ୍ତା ଉପରେ କରିବାକୁ ପଡ଼ୁଥିଲା, ଯାହା ସାଧାରଣ ଯାତାୟାତରେ ଅନେକ ଅସୁବିଧା ସୃଷ୍ଟି କରୁଥିଲା। ଏହି ମଣ୍ଡପ ନିର୍ମାଣ ହେବା ପରେ ସ୍ଥାନୀୟ ଲୋକେ କିଛିଟା ଆଶ୍ୱସ୍ତ ହୋଇଥିଲେ। ବ୍ଲକ୍ ପ୍ରଶାସନ ହାତରେ ଏହାର ପରିଚାଳନା ଦାୟିତ୍ୱ ଥିଲେ ହେଁ, ଆଜି ଏହି ଜନହିତକାରୀ ପ୍ରକଳ୍ପ ନିଜ ଅସ୍ତିତ୍ୱ ହରାଇବାକୁ ବସିଛି। ମଣ୍ଡପର ବାହାର ପରିସରରେ ଅଞ୍ଚଳର ସମସ୍ତ ମଇଲା-ଆବର୍ଜନା ଜମା କରାଯାଉଥିବାରୁ ସମ୍ପୂର୍ଣ୍ଣ ପରିବେଶ ଦୁର୍ଗନ୍ଧମୟ ହୋଇପଡ଼ିଛି। କେବଳ ବାହାର ନୁହେଁ, ମଣ୍ଡପ ଭିତରର ଅବସ୍ଥା ମଧ୍ୟ ଅତ୍ୟନ୍ତ ଆଶୋଚନୀୟ। ନିୟମିତ ସଫେଇ ହେଉନଥିବାରୁ ଭିତରେ କୂଢ଼ କୂଢ଼ ଆବର୍ଜନା ଭରି ରହିଛି ଏବଂ ତାଟି-କବାଟଗୁଡ଼ିକ ଭାଙ୍ଗିବାରେ ଲାଗିଛି। ଶୌଚାଳୟଗୁଡ଼ିକ ସଫା ନ ହେବା ଫଳରେ ସେଠାରୁ ଆସୁଥିବା ଦୁର୍ଗନ୍ଧ ଯୋଗୁଁ ମଣ୍ଡପ ଭିତରକୁ ପ୍ରବେଶ କରିବା ମଧ୍ୟ ଦୁରୂହ ହୋଇପଡ଼ିଛି। ଏ ସମ୍ପର୍କରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, କଲ୍ୟାଣ ମଣ୍ଡପର ସୁଧାର ଓ ଅନୁଦାନ ଯୋଗାଇଦେବା ପାଇଁ ଆବଶ୍ୟକୀୟ ଉଦ୍ୟମ ଜାରି ରହିଛି। ଅନୁଦାନ ମଞ୍ଜୁର ହେବା କ୍ଷଣି ମଣ୍ଡପର ଚାରିପାଖରେ ପାଚେରୀ ନିର୍ମାଣ କରାଯିବ, ଯାହା ଦ୍ୱାରା ବାହାର ଲୋକେ ସେଠାରେ ଆବର୍ଜନା ପକାଇପାରିବେ ନାହିଁ। ବର୍ଷା ପରେ ଆଗକୁ ବିବାହ ଓ ବ୍ରତଘର ଭଳି ଶୁଭ ଉତ୍ସବ ଋତୁ ଆସୁଥିବାରୁ, ଏହା ପୂର୍ବରୁ କଲ୍ୟାଣ ମଣ୍ଡପର ସଫେଇ, ମରାମତି ଏବଂ ପାଚେରୀ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ କଲମପୁର ଜନସାଧାରଣଙ୍କ ପକ୍ଷରୁ ପ୍ରଶାସନ ନିକଟରେ ଜୋରଦାର ଦାବି ହୋଇଛି।