ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୋମ୍ୟ ରଞ୍ଜନ ପାତ୍ର) : ଭବାନୀପାଟଣା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ଜିଲ୍ଲା ପ୍ରଶାସନ କଳାହାଣ୍ଡି ଏବଂ ‘କର୍ତ୍ତବ୍ୟ’ ଅନୁଷ୍ଠାନର ମିଳିତ ସହଯୋଗରେ ଏକ ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ସୁଶ୍ରୀ ସ୍ୱର୍ଣ୍ଣଲତା ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର, ଅତିରିକ୍ତ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡ. ନିହାରେନ୍ଦ୍ର ପଣ୍ଡା, ଡିଏସପି ଏବଂ କର୍ତ୍ତବ୍ୟ ଅନୁଷ୍ଠାନ ର ମୁଖ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି କର୍ମଶାଳାରେ ଜିଲ୍ଲାରେ ବାଲ୍ୟବିବାହ ପ୍ରଥାର ନିରାକରଣ, ଶିଶୁ ଶ୍ରମିକ ପ୍ରଥା ନିବାରଣ, ଶିଶୁ ଭିକ୍ଷାବୃତ୍ତି ଉଚ୍ଛେଦ ଏବଂ ଶିଶୁ ଚାଲାଣ ରୋକିବା ଦିଗରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହିସବୁ ସମସ୍ୟାଗୁଡ଼ିକର ସ୍ଥାୟୀ ନିରାକରଣ ପାଇଁ ସରକାରୀ ବ୍ୟବସ୍ଥା ଓ ପୋଲିସ ସେବାର ସକ୍ରିୟ ଭୂମିକା, ସରକାରୀ ଯୋଜନାର ଉଚିତ୍ ରୂପାୟନ, ବିଭାଗୀୟ ଅଧିକାରୀ ଓ ଅଣସରକାରୀ ସଂସ୍ଥା ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା, ଶିଶୁମାନଙ୍କ ଅଧିକାର ସୁନିଶ୍ଚିତ କରି ଏକ ସୁସ୍ଥ ସମାଜ ଗଠନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ୟୁନିସେଫ୍ ଓଡ଼ିଶାର ଶିଶୁ ସୁରକ୍ଷା ବିଶେଷଜ୍ଞ ଘାସିରାମ ପଣ୍ଡା, ବଲାଙ୍ଗୀର ଜିଲ୍ଲାର ପୂର୍ବତନ ସିଡ଼ିପିଓ ଲକ୍ଷ୍ମୀ ସିଂହ ଏବଂ ଅବସରପ୍ରାପ୍ତ ପ୍ରଫେସର ତଥା ପୂର୍ବତନ ସିଡବ୍ଲୁସି ଅଧ୍ୟକ୍ଷ ଡ. ଅଜୟ ମିଶ୍ର ରିସୋର୍ସ ପର୍ସନ ଭାବରେ ଯୋଗଦେଇ ଶିଶୁ ସୁରକ୍ଷା ଆଇନ ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ପ୍ରତିଭାଗୀମାନଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ପୋଲିସ ବିଭାଗ, ଶ୍ରମ ବିଭାଗ, ପଞ୍ଚାୟତିରାଜ, ମହିଳା ଓ ଶିଶୁ ବିକାଶ ବିଭାଗ (ସମସ୍ତ ସିଡ଼ିପିଓ), ସମସ୍ତ ପୌରପାଳିକାର ନିର୍ବାହୀ ଅଧିକାରୀ, ଶିକ୍ଷା, ସ୍ୱାସ୍ଥ୍ୟ, ଜିଲ୍ଲା ନିୟୋଜନ, ଜିଲ୍ଲା ମଙ୍ଗଳ, ସୂଚନା ଓ ଲୋକସମ୍ପର୍କ, ସାମାଜିକ ସୁରକ୍ଷା ଏବଂ ମିଶନ ଶକ୍ତି ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଏତଦ୍ବ୍ୟତୀତ ବିଭିନ୍ନ ଏନଜିଓ, ଚାଇଲ୍ଡ ହେଲ୍ପଲାଇନ୍, ଶିଶୁ ମଙ୍ଗଳ ସମିତି, କିଶୋର ନ୍ୟାୟ ବୋର୍ଡର ସଦସ୍ୟ/ସଦସ୍ୟା, ଗଣମାଧ୍ୟମ ପ୍ରତିନିଧି ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଡ଼ିସିପିଓ ଶୈଳେନ୍ଦୁ ଶେଖର ମହାପାତ୍ର ପରିଚାଳନା କରିଥିବା ବେଳେ ‘କର୍ତ୍ତବ୍ୟ’ ସଂସ୍ଥାର ଅଶୋକ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
