କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅଧିନସ୍ତ ମୀନଗୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ମୀନଗୁର ଗ୍ରାମର ଇନଦାଦ ମହମ୍ମଦ ବୋଲି ଜଣାପଡ଼ିଛି। ଆଜି ସକାଳ ପ୍ରାୟ ୮ଟା ରୁ ୯ଟା ସମୟରେ ମୀନଗୁର– ବଡ଼କୁଟୁ ଆର୍ଡି ରାସ୍ତାର ମୀନଗୁର ବୁଲାଣି ନିକଟରେ ଏହି ଦୁର୍ଘଟଣା ଘଟିଛି।ସୂଚନା ଅନୁସାରେ, ଇନଦାଦ ବାଇକ ଯୋଗେ କୁକୁଡ଼ା ନେଇ ବଡ଼କୁଟୁ ଯାଉଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ନମ୍ବର ବିହୀନ ବାଲି ବୋଝେଇ ଟ୍ରାକ୍ଟର ବାଇକକୁ ଧକ୍କା ଦେଇଥିଲା। ଧକ୍କା ଦେଇ ଟ୍ରାକ୍ଟରର ଟ୍ରଲି ଓଲଟି ପଡ଼ିଥିବା ବେଳେ ଇନଦାଦ ରାସ୍ତାକଡ଼କୁ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ଏବିଷୟରେ ପରିବାର ଲୋକଙ୍କୁ ସ୍ଥାନୀୟ ଲୋକେ ଖବର ଜଣାଇ ଥିଲେ। ତୁରନ୍ତ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଇନଦାଦଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ କଲମପୁର ପୁଲିସ ସବଇନିସ ପେକ୍କଟର ଶିବଶଙ୍କର ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟର ଓ ବାଇକକୁ ଜବତ କରିଥିଲେ । ଏଥିସହ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ପରେ ବ୍ୟବଚ୍ଛେଦ ପାଇଁ ଜୟପାଟଣାକୁ ପଠାଯାଇଥିଲା, ଶବ ବ୍ୟବଚ୍ଛେଦ ପରେ ପରିବାରବାରକୁ ହସ୍ତାନ୍ତର କରାଯାଇ ଥିଲା । ତଦନ୍ତ ଜାରି ରହିଛି।
