ଭବାନୀପାଟଣାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର : ରକ୍ଷାବନ୍ଧନ ଅବସରରେ ଓଡ଼ିଶା ସରକାରଙ୍କ ଉଦ୍ୟମରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଯୋଜନାର ପ୍ରଦାନ ସମାରୋହ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଟାଉନ୍ ହଲ୍‌ଠାରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ  ସମବାୟ, ହସ୍ତତନ୍ତ ଓ ବୟନ ଏବଂ ହସ୍ତଶିଳ୍ପ ବିଭାଗର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ବିଧାୟକ ଧର୍ମଗଡ଼ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୁଧୀର ରଞ୍ଜନ ପଟ୍ଟାଯୋଷୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲାପାଳ ସଚିନ ପୱାର ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଉପଜିଲ୍ଲାପାଳ, ଭବାନୀପାଟଣ ପ୍ରଭାତ ପରିଡ଼ା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ମୁଜିବୁନ ନିଶା, ଜିଲ୍ଲା ସଂସ୍କୃତିକ ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ  ସାଇଲେନ୍ଦୁ ଶେଖର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ତଥା ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ କଲ୍ୟାଣ ଅଧିକାରୀ ଶ ଦିନେଶ କୁମାର କହଁର, ଉପ ନିର୍ଦେଶକ ପ୍ଲାନିଂ ଶ୍ରୀକାନ୍ତ ଦଳେଇ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦନ କୁମାର ଭୋଈ ଓ ସମସ୍ତ ବ୍ଲକର ଶିଶୁ ସୁରକ୍ଷା ଅଧିକାରୀ ତଥା ସୁଭଦ୍ରା ଯୋଜନା ହିତାଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ, ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ, ସ୍ୱାବଲମ୍ବୀ ଓ ସମ୍ମାନଜନକ ଜୀବନଯାପନ ପାଇଁ ସୁଯୋଗ ପ୍ରଦାନ କରୁଥିବା ଏକ ଐତିହାସିକ ପଦକ୍ଷେପ। ଏହି ଆର୍ଥିକ ସହାୟତାକୁ ମହିଳାମାନେ ପରିବାରର ଆବଶ୍ୟକତା ପୂରଣ, ପିଲାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଛୋଟ ବ୍ୟବସାୟ ଆଦିରେ ବ୍ୟବହାର କରି ପରିବାରର ଆର୍ଥିକ ଉନ୍ନତିରେ ଭାଗୀଦାର ହେଉଛନ୍ତି।କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ଉଦ୍ଦେଶ୍ୟ, କାର୍ଯ୍ୟକଳାପ ଏବଂ ଏହାର ସଫଳ କାହାଣୀ ସମ୍ପର୍କରେ ଉପସ୍ଥିତ ଲାଭାନ୍ୱିତା ଓ ଅତିଥିମାନଙ୍କୁ ଅବଗତ କରାଯାଇଥିଲା। ଏଥିସହ କଳାହାଣ୍ଡି ଜିଲ୍ଲାରେ ସୁଭଦ୍ରା ଯୋଜନାର କାର୍ଯ୍ୟାନ୍ୱୟନ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ତଥ୍ୟ ଉପସ୍ଥାପନ କରିଥିଲେ। ଏହାପରେ ନୟାଗଡ଼ ଜିଲ୍ଲାରେ ଆୟୋଜିତ ରାଜ୍ୟସ୍ତରୀୟ ସୁଭଦ୍ରା କାର୍ଯ୍ୟକ୍ରମର ଲାଇଭ୍ ପ୍ରସାରଣ ଭବାନୀପାଟଣା ଟାଉନ୍ ହଲ୍‌ଠାରେ ଉପସ୍ଥିତ ସମସ୍ତେ ଦେଖିଥିଲେ। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ସୁଭଦ୍ରା ଯୋଜନା ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲାର ୪,୦୮,୫୭୧ ଜଣ ଲାଭାନ୍ୱିତାଙ୍କୁ ପ୍ରତିଜଣ ୫,୦୦୦ ଲେଖାଏଁ ଅନୁଦାନ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ମୁଜିବୁନ ନିଶା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଡକ୍ଟର ଉମେଶ ଶତପଥୀ ମଞ୍ଚ ପରିଚାଳନା କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଧନ୍ୟବାଦ ଅର୍ପଣ କରି ସଭାର ସମାପନ କରିଥିଲେ।

Leave a Reply

Your email address will not be published. Required fields are marked *