କ୍ରାନ୍ତିକ୍ଷେତ୍ର ବ୍ୟୁରୋ : ଓଡ଼ିଶାର ପଲ୍ଲୀଜୀବନ ଓ କୃଷି ସଂସ୍କୃତିରେ ଗହ୍ମା ପୂର୍ଣ୍ଣିମା (ରାଖି ପୂର୍ଣ୍ଣିମା)ର ଏକ ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି। ଏହି ପବିତ୍ର ଦିନଟି କେବଳ ଭାଇ-ଭଉଣୀର ସ୍ନେହ-ବନ୍ଧନରେ ସୀମିତ ନୁହେଁ, ବରଂ ଏହା ମାଟି, ମା’ ଓ କୃଷି ସହ ମଣିଷର ନିବିଡ଼ ସମ୍ପର୍କକୁ ଦୋହରାଇବାର ଏକ ଅନନ୍ୟ ଅବସର। ଚାଷୀଘର ବୋହୂଟିଏ ପାଇଁ ଧାନ ବିଲ କେବଳ ଏକ ଜମିର ଖଣ୍ଡ ନୁହେଁ, ତାହା ପରିବାରର ଆଶା, ସମୃଦ୍ଧି ଓ ସୁଖ-ଶାନ୍ତିର ମୂଳ ଆଧାର। ରାକ୍ଷୀ ପୂର୍ଣ୍ଣିମା ଅବସରରେ ଚାଷୀଘର ବୋହୂ ନିଜ ହାତରେ ସଜାଡ଼ିଥିବା ପୂଜା ଥାଳି, ଦୀପ, ଅକ୍ଷତ ଓ ସ୍ନେହର ରାକ୍ଷୀ ନେଇ କ୍ଷେତକୁ ଯାଇଥାଏ। ହସୁଥିବା ସବୁଜ ଧାନ ଗଛକୁ ସେ ସନ୍ତାନ ସଦୃଶ ଶ୍ରଦ୍ଧାର ସହ ରାକ୍ଷୀ ବାନ୍ଧି ପ୍ରକୃତି ମା’ ଏବଂ ଶସ୍ୟଶ୍ୟାମଳା ଧରଣୀଙ୍କ ନିକଟରେ ଗୁହାରି କରେ। ଫସଲ ଯେପରି କୀଟପତଙ୍ଗ ଓ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବ, ସେଥିପାଇଁ ସେ ଭଲ ଫସଲର ପ୍ରାର୍ଥନା କରିଥାଏ। ଘରକୁ ଲକ୍ଷ୍ମୀ (ଅନ୍ନ) ଆସିବା ପୂର୍ବରୁ ସେହି ଅନ୍ନଦାତ୍ରୀ ଧାନ ଗଛକୁ ପୂଜାର୍ଚ୍ଚନା କରି ବୋହୂଟି ନିଜର ଦାୟିତ୍ୱ ଓ ପରମ୍ପରାକୁ ଆଗେଇ ନେଇଥାଏ। ଯେଉଁଠି ମାଟିକୁ ମା’ର ଆଖ୍ୟା ଦିଆଯାଏ ଏବଂ ଶସ୍ୟକୁ ଲକ୍ଷ୍ମୀ ରୂପେ ପୂଜା କରାଯାଏ, ସେଠାରେ ଏହି ପରମ୍ପରା ଆମ ସଂସ୍କୃତିର ସଚ୍ଚା ପରିଚୟ। ଆଜିର ଆଧୁନିକ ଜୀବନଶୈଳୀ ଓ ବ୍ୟସ୍ତବହୁଳ ସମୟ ମଧ୍ୟରେ ବି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡେଙ୍ଗାଗୁଡା ଗ୍ରାମର ଜଣେ ଚାଷୀଘର ବୋହୂ କ୍ଷେତରେ ହସୁଥିବା ସଫଳ କୁ ରାକ୍ଷୀ ବାନ୍ଧି ହଜିଯାଇଥିବା ଏହି ପ୍ରଥାକୁ ଜୀବନ୍ତ ରଖିବା ପ୍ରଶଂସନୀୟ। ଏହି ଘଟଣା ଦର୍ଶାଉଛି ଯେ, ଆମ ସଂସ୍କୃତି ଓ ପରମ୍ପରା କେବଳ ବହିପୃଷ୍ଠାରେ ନାହିଁ, ବରଂ ଆମ ହୃଦୟ ଓ ଆଚରଣରେ ଜୀବନ୍ତ ଅଛି। ଏହା ଆଗାମୀ ପିଢ଼ିକୁ ଆମ କୃଷିଭିତ୍ତିକ ସଂସ୍କୃତି ଓ ପ୍ରକୃତି ପ୍ରେମ ଶିଖାଇବାରେ ଏକ ବଡ଼ ଉଦାହରଣ ସାଜିବ। ଚାଷୀଘର ବୋହୂର ଏହି ନିଷ୍ଠା ଓ ଶ୍ରଦ୍ଧା ଆମ ଓଡ଼ିଆ ସଂସ୍କୃତିର ଗୌରବକୁ ଆହୁରି ମହିମାମଣ୍ଡିତ କରିଛି।
