ଶରତର ଶୁଭ ସନ୍ଦେଶ ନେଇ ଆସିଲା କାଶତଣ୍ଡି, ପାର୍ବଣ ଋତୁର ଆଗମନୀ ସୁରରେ ପ୍ରକୃତି

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର : ଶରତର ଶୁଭ ଆଗମନୀ ବାର୍ତ୍ତା ନେଇ ଧରାପୃଷ୍ଠକୁ ଓହ୍ଲାଇଛି କାଶତଣ୍ଡୀ। ନୀଳ ଆକାଶର ଛାତିତଳେ, ସୁଲୁସୁଲିଆ ପବନର ତାଳେ ତାଳେ ଦୋଳି ଉଠୁଥିବା ଧଳା କାଶଫୁଲ ଏବେ ପ୍ରକୃତିର ରୂପକୁ ଏକ ନୂଆ ମାଧୁର୍ଯ୍ୟରେ ଭରିଦେଇଛି। ନଦୀକୂଳଠାରୁ ଚାଷଜମିର ହୁଡ଼ା, ରାସ୍ତାପାର୍ଶ୍ୱଠାରୁ ଜଙ୍ଗଲ ଓ ଖୋଲା ପଡ଼ିଆ, ଯେଉଁଆଡ଼େ ଚାହିଁଲେ ସେଠାରେ ଧଳା କାଶଫୁଲର ଅପୂର୍ବ ସମ୍ଭାର। ମନେହେଉଛି, ପ୍ରକୃତିରାଣୀ ନିଜକୁ ଧଳା ଚାଦରରେ ସଜାଇ ପାର୍ବଣ ଋତୁକୁ ସ୍ୱାଗତ କରୁଛି। କାଶତଣ୍ଡୀ ଫୁଟିବା ମାତ୍ରେ ଶରତ ଋତୁର ଆଗମନର ଅନୁଭବ ହୁଏ। କାଶତଣ୍ଡାର ଧଳା ହସ ସହ ପରିବେଶରେ ମିଶିଯାଏ ପାର୍ବଣର ଆଗମନୀ ସୁର। ଚଳିତ ବର୍ଷ ସେପ୍ଟେମ୍ବର ୧୪ ରେ ଗଣେଶ ଚତୁର୍ଥୀ ଓ ୧୫ ରେ ନୂଆଁଖାଇ ପାଳିତ ହୋଇଥିବା ବେଳେ ଏବେ ଧୀରେଧୀରେ ପାର୍ବଣ ଋତୁର ରଙ୍ଗ ଆହୁରି ଗାଢ଼ ହେବାରେ ଲାଗିଛି। ଆଗକୁ ଦୁର୍ଗାପୂଜା ସମେତ ବିଭିନ୍ନ ପର୍ବପର୍ବାଣୀ ଥିବାରୁ ଗାଁଠାରୁ ସହର ପର୍ଯ୍ୟନ୍ତ ଉତ୍ସବମୁଖର ପରିବେଶର ଆଭାସ ମିଳିବା ଆରମ୍ଭ ହୋଇଛି। ଚଳିତ ବର୍ଷ କାଶତଣ୍ଡୀର ଆଗମନ ମଧ୍ୟ ମନକୁ ଛୁଇଁଯିବା ଭଳି। ଗୋଲାମୁଣ୍ଡା ସମେତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଗୁଆ ଫୁଟିଥିବା କାଶଫୁଲ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଆହୁରି ଉଜ୍ଜ୍ୱଳ କରିଦେଇଛି। ଆକାଶର ନୀଳିମା, ଖଣ୍ଡ ଖଣ୍ଡ ଧଳା ବାଦଲ, ସବୁଜ ବନାନୀ ଓ ଧଳା କାଶଫୁଲର ଅପୂର୍ବ ସମନ୍ୱୟ ଆଖିକୁ ଶୀତଳତା ଓ ମନକୁ ଅପାର ଆନନ୍ଦ ଦେଉଛି। ନଦୀକୂଳରେ କୁଳୁକୁଳୁ ନାଦରେ ବହୁଥିବା ଜଳଧାରା, ତା’ ସହ ଶୀତଳ ପବନର ମୃଦୁ ସ୍ପର୍ଶ ଏବଂ ପବନରେ ଦୋଳାୟମାନ କାଶଫୁଲ—ଏହି ତିନିର ମିଳନରେ ସୃଷ୍ଟି ହେଉଛି ଏକ ମନମୁଗ୍ଧକର ପରିବେଶ। ଚାଷଜମିର ହୁଡ଼ାରେ ଧଳା କାଶଫୁଲ ଯେପରି ରୂପାର ଫୁଲ ହୋଇ ହସୁଛି। ଦୂରରୁ ଦେଖିଲେ ମନେହୁଏ, ଧରିତ୍ରୀର ବିସ୍ତୃତ ବୁକୁ ଉପରେ କିଏ ଧଳା ରଙ୍ଗର ମଖମଲି ଚାଦର ବିଛାଇ ଦେଇଛି। କାଶତଣ୍ଡୀ କେବଳ ଏକ ଫୁଲ ନୁହେଁ; ଏହା ଓଡ଼ିଆ ଜୀବନ, ଋତୁଚକ୍ର ଓ ପାରମ୍ପରିକ ସଂସ୍କୃତି ସହ ଗଭୀର ଭାବେ ଜଡ଼ିତ। କାଶଫୁଲ ଫୁଟିଲେ ଲୋକମନରେ ଶରତର ଆଗମନ ସହ ଦୁର୍ଗାପୂଜାର ସ୍ମୃତି ଜାଗିଉଠେ। ତେଣୁ କାଶତଣ୍ଡୀକୁ ମା’ ଦୁର୍ଗାଙ୍କ ଆଗମନୀର ପ୍ରାକୃତିକ ଦୂତ ବୋଲି କହିଲେ ମଧ୍ୟ ଅତିଶୟୋକ୍ତି ହେବ ନାହିଁ। ଧଳା ଧଳା କାଶଫୁଲ ଯେପରି ଧଳା ଚାମର ଧରି ମା’ଙ୍କ ସ୍ୱାଗତ ପାଇଁ ପ୍ରକୃତିର ଦୁଆରରେ ଠିଆ ହୋଇଛି। ଆଶ୍ୱିନ ମାସରେ ଜଗତଜନନୀ ମା’ ଦୁର୍ଗାଙ୍କ ଧରାବତରଣ ପୂର୍ବରୁ ପ୍ରକୃତି ମଧ୍ୟ ନିଜ ଶୃଙ୍ଗାର ସାରିନେଉଛି। ନୀଳ ଆକାଶ ତଳେ ଧଳା କାଶଫୁଲ, ସବୁଜ ବନାନୀ ଓ ଶୀତଳ ପବନର ସମ୍ମିଳିତ ରୂପ ଏବେ ଏକ ଜୀବନ୍ତ ଚିତ୍ରପଟର ଭ୍ରମ ସୃଷ୍ଟି କରୁଛି। ଏହି ମନୋହର ଦୃଶ୍ୟ ଦେଖି ପଥଚାରୀମାନେ ମଧ୍ୟ କିଛି କ୍ଷଣ ପାଇଁ ରାସ୍ତାରେ ଅଟକି ଯାଉଛନ୍ତି। କେହି କାଶଫୁଲର ସୌନ୍ଦର୍ଯ୍ୟକୁ ଆଖିରେ ଭରି ନେଉଛନ୍ତି, ତ ଆଉ କେହି ମୋବାଇଲ୍‌ କ୍ୟାମେରାରେ ଏହି ଅପୂର୍ବ ଦୃଶ୍ୟକୁ ସାଇତି ରଖୁଛନ୍ତି। ଧଳା ରଙ୍ଗ ଶାନ୍ତି, ପବିତ୍ରତା ଓ ସରଳତାର ପ୍ରତୀକ ଭାବେ ପରିଚିତ। କାଶତଣ୍ଡୀର ଧଳା ଫୁଲ ମଧ୍ୟ ଯେପରି ପ୍ରକୃତିର ନିରବ ଭାଷାରେ ଶାନ୍ତି ଓ ସୌନ୍ଦର୍ଯ୍ୟର ବାର୍ତ୍ତା ବାଣ୍ଟି ଚାଲିଛି। ପବନରେ ଦୋଳି ଦୋଳି କାଶଫୁଲ ମନେହୁଏ କହୁଛି—ଦୁଃଖ ଓ କ୍ଲାନ୍ତିକୁ ପଛରେ ପକାଇ ଆସ, ଶରତର ଏହି ନିର୍ମଳ ସୌନ୍ଦର୍ଯ୍ୟରେ କିଛି କ୍ଷଣ ହଜିଯାଅ।ଗୋଲାମୁଣ୍ଡା ଅଞ୍ଚଳର ବିଭିନ୍ନ ନଦୀକୂଳ, ଗାଁ ରାସ୍ତାପାର୍ଶ୍ୱ, ଚାଷଜମି ଓ ଖୋଲା ପଡ଼ିଆରେ ଏବେ କାଶଫୁଲର ଧଳା ଢେଉ ଦେଖିବାକୁ ମିଳୁଛି। ସକାଳର କୋମଳ ସୂର୍ଯ୍ୟକିରଣରେ କାଶଫୁଲ ଯେତେବେଳେ ଚକଚକ କରେ, ସେତେବେଳେ ତାହାର ରୂପ ଆହୁରି ମନମୋହକ ହୋଇଉଠେ। ପୁଣି ସନ୍ଧ୍ୟାର ମୃଦୁ ଆଲୋକରେ ପବନ ସହ ଦୋଳିଥିବା କାଶଫୁଲ ପ୍ରକୃତିକୁ ଦେଇଥାଏ ଏକ ସ୍ୱପ୍ନିଳ ରୂପ। ଏହି କାଶଫୁଲର ଆଗମନ ସହିତ ଲୋକଙ୍କ ମନରେ ମଧ୍ୟ ପାର୍ବଣର ଉତ୍ସାହ ଜାଗିଉଠିଛି। ଢୋଲ, ନିଶାନ, ଶଙ୍ଖଧ୍ୱନି ଓ ଧୂପର ସୁଗନ୍ଧରେ ଆଗାମୀ ଦିନରେ ଗାଁଗୁଡ଼ିକ ମୁଖରିତ ହେବାକୁ ଥିବା ବେଳେ କାଶତଣ୍ଡୀ ତା’ ପୂର୍ବରୁ ହିଁ ପ୍ରକୃତିର ଅଙ୍ଗନରେ ପାର୍ବଣର ପ୍ରଥମ ଆଲ୍ପନା ଆଙ୍କି ଦେଇଛି।ସତେ ଯେମିତି କାଶତଣ୍ଡୀର ପ୍ରତ୍ୟେକ ଧଳା ଫୁଲରେ ଲେଖା ହୋଇଛି ଆଗମନୀର ଗୀତ, ପବନର ପ୍ରତ୍ୟେକ ସ୍ପର୍ଶରେ ଶୁଭୁଛି ପାର୍ବଣର ପଦଧ୍ୱନି ଏବଂ ପ୍ରକୃତିର ପ୍ରତ୍ୟେକ କୋଣରୁ ଭାସିଆସୁଛି ଗୋଟିଏ ମାତ୍ର ବାର୍ତ୍ତା—‘ପାର୍ବଣ ଆସିଲା, ମା’ ଆସୁଛନ୍ତି।’

Leave a Reply

Your email address will not be published. Required fields are marked *