ବିପଦଜନକ ସ୍ଥିତିରେ ଧର୍ମଗଡ଼ ଗୋଳେଇ ଛକ: ବର୍ଷାଜଳରେ ରାସ୍ତା ଖାଲରେ ଫସିଲା କାର୍

ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ପ୍ରମୁଖ ଗୋଳେଇ ଛକ ନିକଟରେ ଥିବା ଏକ ଗର୍ତ୍ତରେ ମଙ୍ଗଳବାର ଏକ କାର୍ ଫସିଯାଇ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ବିଜୁ ଏକ୍ସପ୍ରେସୱେ ଏବଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ଛକ ଦେଇ ନବରଙ୍ଗପୁର, ନୂଆପଡ଼ା ଜିଲ୍ଲା ସମେତ ପଡ଼ୋଶୀ ରାଜ୍ୟ ଛତିଶଗଡ଼କୁ ଦୈନନ୍ଦିନ ହଜାର ହଜାର ଯାନବାହାନ ଯାତାୟାତ କରିଥାଏ। ମାତ୍ର ଦୀର୍ଘଦିନ ହେଲା ଏହି ଛକରେ ଗର୍ତ୍ତ ସୃଷ୍ଟି ହୋଇ ରହିଥିଲେ ମଧ୍ୟ ପୂର୍ତ୍ତ ବିଭାଗର ନଜର ଏହା ଉପରେ ପଡୁନାହିଁ। ମଙ୍ଗଳବାର ବର୍ଷା ଜଳରେ ରାସ୍ତାର ଗର୍ତ୍ତଟି ଢାଙ୍କି ହୋଇଯିବାରୁ ଏକ କାର୍‌ଟି ସେଥିରେ ହଠାତ୍ ଫସି ଯାଇଥିଲା। ଗାଡ଼ିଟି ବହୁଚେଷ୍ଟା ସତ୍ତ୍ୱେ ବାହାରି ପାରି ନଥିଲା। ଶେଷରେ ଆରୋହୀମାନେ ନିକଟସ୍ଥ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ, ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଫସି ରହିଥିବା କାର୍‌ଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଜଣାପଡିଛି। ଏଭଳି ଏକ ବ୍ୟସ୍ତବହୁଳ ଛକରେ ପ୍ରଶାସନର ଉଦାସୀନତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କୌଣସି ଏକ ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ ସମ୍ପୃକ୍ତ ବିଭାଗ ତୁରନ୍ତ ଏହାର ସ୍ଥାୟୀ ମରାମତି କରିବାକୁ ସାଧାରଣରେ ଦୃଢ଼ ଦାବି ହୋଇଛି।

Leave a Reply

Your email address will not be published. Required fields are marked *