ବାଲମତୁମ୍ବା ସଂରକ୍ଷିତ ଜଙ୍ଗଲରୁ ୧୧୫ କିଲୋ ଗଞ୍ଜେଇ ଜବତ

କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର(ମନଧର କର୍ମୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ବଲମତୁମ୍ବା ସଂରକ୍ଷିତ ଜଙ୍ଗଲରୁ କଣ୍ଟାମାଳ ପୋଲିସ ପ୍ରାୟ ୧୧୫ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ବଲମତୁମ୍ବା ସଂରକ୍ଷିତ ଜଙ୍ଗଲ ଭିତରେ ବିପୁଳ ପରିମାଣର ବେଆଇନ ଗଞ୍ଜେଇ ଗଚ୍ଛିତ ରଖାଯାଇଥିବା ନେଇ ପୋଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ସୂଚନାକୁ ଆଧାର କରି କଣ୍ଟାମାଳ ଥାନା ଆଇଆଇସି ଓମପ୍ରକାଶ ମହାନ୍ତିଙ୍କ ନେତୃତ୍ୱରେ ପୋଲିସ ଟିମ୍ ତୁରନ୍ତ ଉକ୍ତ ଜଙ୍ଗଲରେ ପହଞ୍ଚି ବ୍ୟାପକ ତଲାସୀ ଅଭିଯାନ ଚଳାଇଥିଲା। ଏହି ସମୟରେ ଜଙ୍ଗଲ ଭିତରେ ଲୁଚାଇ ରଖାଯାଇଥିବା ୨ଟି ଧଳା ରଙ୍ଗର ଜରି ବସ୍ତା ଠାବ ହୋଇଥିଲା। ବସ୍ତାଗୁଡ଼ିକୁ ଯାଞ୍ଚ କରିବା ପରେ ସେଥିରୁ ପ୍ରାୟ ୧୧୫ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଏହି ଘଟଣାକୁ ନେଇ କଣ୍ଟାମାଳ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଜବତ ଗଞ୍ଜେଇ କାହାର ଏବଂ ଏହାକୁ ଜଙ୍ଗଲ ଭିତରେ କିଏ ଗଚ୍ଛିତ କରିଥିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଚାଲିଥିବା କଣ୍ଟାମାଳ ଥାନା ଆଇଆଇସି ଓମପ୍ରକାଶ ମହାନ୍ତି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *