କୋକସରା/କ୍ରାନ୍ତିକ୍ଷେତ୍ର : ରାଜ୍ୟ ସରକାରଙ୍କ ‘ଆମ ହସ୍ପିଟାଲ ଯୋଜନା’ରେ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମି ବିକାଶ ଓ ରୂପାନ୍ତରୀକରଣ କାର୍ଯ୍ୟ ଜାରି ରହିଛି। ତେବେ ଏହି ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ନିମ୍ନମାନର କାମ ହେଉଥିବା ନେଇ ଗତ କିଛି ଦିନ ତଳେ ସ୍ଥାନୀୟ ଲୋକେ ଅଭିଯୋଗ ଆଣିବା ପରେ କୋକସରା ବ୍ଲକ୍ ଉପାଧ୍ୟକ୍ଷ ପହଞ୍ଚି କାମ ବନ୍ଦ କରିଥିଲେ। ପରବର୍ତ୍ତୀ ସମୟରେ ଧର୍ମଗଡ଼ ବିଧାୟକ ଘଟଣାସ୍ଥଳ ପରିଦର୍ଶନ କରି କାର୍ଯ୍ୟର ତଦାରଖ କରିବା ସହ ଉନ୍ନତମାନର କାର୍ଯ୍ୟ କରିବାକୁ ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କୁ କଡ଼ା ତାଗିଦ୍ କରିଥିଲେ। ସେହି ସମୟରେ ଠିକା ସଂସ୍ଥା ଗୁଣାତ୍ମକ କାର୍ଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେବା ସହ କିଛି ଦିନ ପାଇଁ ନିର୍ମାଣ କାର୍ଯ୍ୟ ବନ୍ଦ ରଖିଥିଲା। ହେଲେ ବର୍ତ୍ତମାନ ଠିକା ସଂସ୍ଥା ସମସ୍ତ ନିୟମକୁ ଅଣଦେଖା କରି ମନମୁଖୀ ଭାବେ ରାତି ଅଧରେ ନିର୍ମାଣ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ପୂର୍ବରୁ ବାଲି ପକାଇବା ସ୍ଥାନରେ ମାଟି ପକାଇ ଏହି ଠିକା ସଂସ୍ଥା ବିବାଦ ଘେରକୁ ଆସିଥିଲା। ଏବେ ରାତି ଅଧିଆ କାମ କରାଯାଉଥିବାରୁ ଏହାର ସ୍ଥାୟୀତ୍ୱ ଓ ଗୁଣବତ୍ତାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ବିଭାଗୀୟ କୌଣସି ଅଧିକାରୀଙ୍କର ଦେଖାଦର୍ଶନ ମିଳୁନାହିଁ। ବିଧାୟକଙ୍କ ତାଗିଦ୍ ଓ ପରେ କାମ ଚାଲିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟରେ କୌଣସି ପରିବର୍ତ୍ତନ ଆସି ନାହିଁ କିମ୍ବା ଠିକା ସଂସ୍ଥା ଖାତିର କରୁ ନାହିଁ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ଚର୍ଚ୍ଚା ଆଲୋଚନା ହେଉଛି। ସୂଚନା ଅନୁଯାୟୀ, ଏହି ବିକାଶମୂଳକ କାର୍ଯ୍ୟ ପାଇଁ ‘ଆମ ହସ୍ପିଟାଲ’ ଯୋଜନାରେ ୪ କୋଟି ୯ ଲକ୍ଷ ୩୬ ହଜାର ଟଙ୍କା ବ୍ୟୟବରାଦ ହୋଇଛି। ହେଲେ କାର୍ଯ୍ୟସ୍ଥଳରେ କୌଣସି ପ୍ରକାର ସୂଚନା ଫଳକ ଲଗାଯାଇ ନାହିଁ, ଯାହା ସରକାରୀ ନୀତିନିୟମର ଖୋଲାଖୋଲି ଉଲ୍ଲଂଘନ କରୁଛି। ମେଡିକାଲ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଓ ଜରୁରୀ ସେବା ସଂସ୍ଥାର ନିର୍ମାଣ କାର୍ଯ୍ୟରେ ଏଭଳି ହେରଫେର, ନିମ୍ନମାନର କାମ ଓ ମନମୁଖୀ କାର୍ଯ୍ୟା କୁ ନେଇ ସାଧାରଣରେ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଦାୟିତ୍ଵରେ ଥିବା ଯନ୍ତ୍ରୀଙ୍କ ପ୍ରତିକ୍ରିୟା ନେବାରୁ ରାତିରେ କାମ ହେବା କଥା ନୁହେଁ ଏନପିସିସି ର ଯନ୍ତ୍ରୀଙ୍କୁ ପଚାରନ୍ତୁ ବୋଲି କହିଥିଲେ।।
