ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୁଣୁପୁର ଗ୍ରାମପଞ୍ଚାୟତ ଅଧୀନ ପୁଲିଙ୍ଗପଦର ଗ୍ରାମରେ ତାଳୁକ ଆଇନ ପ୍ରାଧିକରଣ ସେବା ପକ୍ଷରୁ ଜନଜାତି ଓ ଅନ୍ୟାନ୍ୟ ସମ୍ବେଦନଶୀଳ ବର୍ଗଙ୍କ ନ୍ୟାୟ ପ୍ରବେଶକୁ ସୁଦୃଢ଼ କରିବା ଯୋଜନା-୨୦୨୫କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ତାଳୁକ ଆଇନ ସେବା ପ୍ରାଧିକରଣ ସମିତିର ଅଧ୍ୟକ୍ଷ ତଥା ଜେଏମଏଫସି ଡଃ ତାରିଣୀ ପ୍ରସାଦ ସାହୁ ଯୋଗଦେଇ ଜନଜାତି, ଅସହାୟ ଓ ଯାଯାବର ସମ୍ପ୍ରଦାୟର ଲୋକଙ୍କ ପାଇଁ ଉପଲବ୍ଧ ଆଇନଗତ ସୁବିଧା ସମ୍ପର୍କରେ ସଚେତନ କରିଥିଲେ। ସେହିପରି ଓକିଲ ସଂଘର ସଭାପତି ତଥା ଯୁବ ଆଇନଜୀବୀ ମନୋରଞ୍ଜନ ନାଏକ, ସ୍ଥାନୀୟ ସମାଜସେବୀ କାର୍ତ୍ତିକ ମାଝୀ, ଖଣ୍ଡୁଆଳ ମାଳି ସୁରକ୍ଷା କମିଟିର ସମ୍ପାଦକ ବ୍ରିଟିଶ ନାଏକ ଓ ସାନୁ ମାଝୀ ପ୍ରମୁଖ ଯୋଗଦେଇ ଲୋକଙ୍କୁ ବିଭିନ୍ନ ଆଇନଗତ ଅଧିକାର ବିଷୟରେ ବୁଝାଇଥିଲେ। ବିଶେଷକରି ମାଗଣା ଆଇନ ସହାୟତା, ନ୍ୟାୟ ପାଇବାର ଅଧିକାର, ଜମି ଓ ଜଙ୍ଗଲ ଅଧିକାର, ଶିକ୍ଷା ଏବଂ ସରକାରୀ ଯୋଜନାର ସୁବିଧା କିପରି ପାଇପାରିବେ, ସେନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ କୋର୍ଟର ମୁଖ୍ୟ କିରାଣୀ ଅଶୋକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଟିଏଲଏସସିର କିରାଣୀ ଜିମି ବେହେରା ଓ ଅଜିତ ନେଗୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଆଇନ ସମ୍ପର୍କିତ ଅଜ୍ଞତା ଯୋଗୁଁ ଯେପରି କୌଣସି ଜନଜାତି କିମ୍ବା ଅସହାୟ ବ୍ୟକ୍ତି ନ୍ୟାୟରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ଏଭଳି ସଚେତନତା କାର୍ଯ୍ୟକ୍ରମ ଗ୍ରାମାଞ୍ଚଳରେ ଗୁରୁତ୍ୱ ବହନ କରୁଛି।
