ଜୁହାର ଶତ୍ରୁକୁ ମଧ୍ୟ ମିତ୍ରରେ ରୂପାନ୍ତରିତ କରିଥାଏ

ବଞ୍ଚିବା ପାଇଁ ଖାଦ୍ୟର ଆବଶ୍ୟକତା ରହିଛି। ଖାଦ୍ୟ ଶରୀରକୁ ଶକ୍ତି ଯୋଗାଇଥାଏ। ଖାଦ୍ୟ ଅଭାବରେ ଜୀବନ ଧାରଣ କରିବା ସମ୍ଭବ ପର ନୁହେଁ। ଜୀବନ ପ୍ରଦାନ କରୁଥିବା ଖାଦ୍ୟକୁ ସମ୍ମାନ ଜଣାଇବା ଉଚିତ୍। ଆମ ଓଡ଼ିଶାରେ ବିଭିନ୍ନ ଖାଦ୍ୟ ମଧ୍ୟରେ ଅନ୍ନର ସ୍ଥାନ ସର୍ବାଗ୍ରେ ରହିଛି। ଅନ୍ନକୁ ବ୍ରହ୍ମ ବୋଲି ଶାସ୍ତ୍ରରେ କୁହାଯାଇଛି। ଅନ୍ନକୁ ନିଜ ଇଷ୍ଟ ଦେବାଦେବୀଙ୍କ ଠାରେ ସମର୍ପଣ କରି ସେବନ କରିବାକୁ ନୂଆଖାଇ କୁହାଯାଏ। ପ୍ରକୃତିର ଅନନ୍ୟ ଉପହାର ହେଉଛି ଖାଦ୍ୟାନ୍ନ। ଅନ୍ୟ ଅର୍ଥରେ ଯେଉଁ ପ୍ରକୃତି ଆମକୁ ଅଯାଚିତ ଭାବରେ ଏତେ ଖାଦ୍ୟ ଶସ୍ୟ ଦେଇଛି ତାର ଉପାସନା କରିବା, ପ୍ରକୃତିକୁ କୃତଜ୍ଞତା ଜଣାଇବାର ପର୍ବ ହେଇଛି ନୂଆଖାଇ। ବିଧିପୂର୍ବକ ନୂଆଖାଇ ସରିଲା ପରେ ନୂଆଖାଇ ଜୁହାର ଭେଟ ହୋଇଥାଏ। ନୂଆଖାଇ ଜୁହାର ନୂଆଖାଇର ଅନ୍ୟତମ ଆକର୍ଷଣ। ନୂଆଖାଇରେ ରାଗଋଷା ମାନ ଅଭିମାନ ଭୁଲି ସାନ ମାନେ ବଡ ମାନଙ୍କୁ ଜୁହାର (ପ୍ରଣାମ /ନମସ୍କାର) କରିଥାନ୍ତି। ବଡମାନେ ସାନ ମାନଙ୍କୁ ଆଶିର୍ବାଦ ଦେଇଥାନ୍ତି। ଜୁହାର ମଧ୍ୟରେ ଆତ୍ମିୟତା ରହିଥାଏ। ଜୁହାର ଏକଜୁଟ କରିଥାଏ। ଜୁହାର ସଂପର୍କକୁ ଦୃଢ଼ କରେ। ନୂଆଖାଇ ଜୁହାର କରିବା ପାଇଁ ଲୋକମାନେ ଘରକୁ ଘର, ପଡ଼ାକୁ ପଡା ବୁଲି ବୁଲି ଜୁହାର ଭେଟ ହୋଇଥାନ୍ତି। ଜୁହାର ଭେଟ ଦିନେ ଦୁଇଦିନ ପର୍ଯ୍ୟନ୍ତ ଚାଲିଥାଏ। କିଏ ଯଦି କାହାକୁ ସାକ୍ଷାତ କରି ନ ପାରିଲେ ଖୋଜି ଖୋଜି ଜୁହାର କରିଥାନ୍ତି। ନିଜ ସଂପର୍କୀୟ ବା ବନ୍ଧୁ ବାନ୍ଧବଙ୍କ ଗାଁ ଯାଇ ମଧ୍ୟ ନୂଆଖାଇ ଜୁହାର କରାଯାଏ। ଜ୍ବାଇଁ ଶ୍ଵଶୁର ଘରକୁ ଯାଇ ନୂଆଖାଇ ଜୁହାର କରିଥାଏ। ଶ୍ଵଶୁର ଘର ସହ ସ୍ତ୍ରୀର ସଂପର୍କୀୟ ଘରକୁ ଯାଇ ନୂଆଖାଇ ଜୁହାର କରାଯାଏ। ମାଲିକ ପାଖକୁ ମୁନିବ ଜୁହାର ପାଇଁ ଆସିଥାଏ। ନୂଆଖାଇରେ ଝିଅ ଘର,ବନ୍ଧୁବାନ୍ଧବ,ମିତ ମହାପ୍ରସାଦ,ମକର, ଭେଲୋକ,ସଙ୍ଗାତ ଘର ମାନଙ୍କୁ ଜୋଗାର ବା ନୂଆ ପୋଷାକ ସହ ଖଜାମିଠା ଦିଆନିଆ କରାଯାଏ। ନୂଆଖାଇ ପରେ ସେମାନେ ମଧ୍ୟରେ ଜୁହାର ଓ ଭେଟଘାଟ ହୋଇଥାଏ। ଜୁହାର ଓ ଭେଟଘାଟ ମଧ୍ୟରେ ଭାବର ଆଦାନ ପ୍ରଦାନ ସହ ଅନ୍ତରଙ୍ଗତା ବୃଦ୍ଧି ପାଇଥାଏ। ଭାରତୀୟ ସଂସ୍କୃତିରେ ଜୁହାର, ପ୍ରଣାମ ବା ନମସ୍କାରର ସ୍ବତନ୍ତ୍ର ସ୍ଥାନ ରହିଛି। କରୋନା ସମୟରେ ଭାରତୀୟ ନମସ୍କାର ପରମ୍ପରାକୁ ସାରା ବିଶ୍ବରେ ଗ୍ରହଣ କରିଥିଲେ। ହେ କେଶବ ଯିଏ ବି ଯାହାକୁ ନମସ୍କାର କରେ ତାହା ମୁଁ ହିଁ ଗ୍ରହଣ କରେ ବୋଲି ଗୀତାରେ ଭଗବାନ ଶ୍ରୀକୃଷ୍ଣଙ୍କ କହିଛନ୍ତି। ନୂଆଖାଇର ଜୁହାର ନମ୍ରତା ଓ ଶିଷ୍ଟାଚାର ଶିକ୍ଷା ପ୍ରଦାନ କରିଥାଏ। ଜୁହାର କେବଳ ସମ୍ମାନ ସୂଚକ ଅଭିବ୍ୟକ୍ତି ନୁହେଁ ଜୁହାର ଆତ୍ମସମର୍ପଣ, ଆତ୍ମସନ୍ତୋଷ ଓ ଆତ୍ମିୟତାର ପୁଲକ ଆଣିଥାଏ। ଜୁହାର ସହନଶୀଳତା, ଉଦାରତା, ସମଦର୍ଶିତା ଶିଖାଇ ଥାଏ। ନୂଆଖାଇ ଜୁହାର ମଧ୍ୟରେ ସହଯୋଗ, ସଦଭାବନା, ସମର୍ପଣ ଭାବନା ରହିଛି। ଜୁହାର ସେବା, ତ୍ୟାଗ ଓ ମଣିଷ ପଣିଆର କଥା ଶିକ୍ଷା ଦେଇଥାଏ । ଜୁହାର ଶତ୍ରୁକୁ ମଧ୍ୟ ମିତ୍ରରେ ରୂପାନ୍ତରିତ କରିଥାଏ। ସମସ୍ତଙ୍କୁ ନୂଆଖାଇ ଜୁହାର।

ମୋହନ ଚରଣ ବିଷି

ଗଡରାମାଲ, କୋକସରା, କଳାହାଣ୍ଡି 

ମୋ-୯୭୭୭୪୬୮୮୪୧

Leave a Reply

Your email address will not be published. Required fields are marked *