ଲାଞ୍ଜିଗଡ଼/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନମନସ୍କତା, ଅନୁସନ୍ଧାନ ପ୍ରବୃତ୍ତି ଓ ସୃଜନଶୀଳ ଚିନ୍ତନର ବିକାଶ ଉଦ୍ଦେଶ୍ୟରେ ଲାଞ୍ଜିଗଡ଼ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ବ୍ଲକ୍ ସ୍ତରୀୟ ବିଜ୍ଞାନ ସେମିନାର- ୨୦୨୬-୨୭ ଶନିବାର ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ, ଯୋଡ଼ାବନ୍ଧଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ଅଧ୍ୟକ୍ଷତା କରିଥିବା ବେଳେ ଚମ୍ପାଦେଇପୁର ସରପଞ୍ଚ ନରେନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ଗୋପବନ୍ଧୁ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମଲ୍ଲିକ, ମଧୁ ମହେଶ୍ୱର ଉଚ୍ଚ ବିଦ୍ୟାଳୟ, କମର୍ଧାର ବରିଷ୍ଠ ବିଜ୍ଞାନ ଶିକ୍ଷକ ସୁଧାଂଶୁ ଶେଖର ମହାପାତ୍ର ଏବଂ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁକଦେବ ମଲ୍ଲ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ଲାଞ୍ଜିଗଡ଼ ବ୍ଲକ୍ର ସମସ୍ତ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକମାନେ ଯୋଗଦେଇଥିଲେ। ଏଥିସହିତ ବ୍ଲକ୍ର ୧୩ ଗୋଟି ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ସେମିନାରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଜ୍ଞାନ ସମ୍ବନ୍ଧୀୟ ନିଜର ଜ୍ଞାନ, ଚିନ୍ତାଧାରା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଜ୍ଞାନ ଓ ନବସୃଜନ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି ସହିତ ସେମାନଙ୍କ ମଧ୍ୟରେ ତାର୍କିକ ଚିନ୍ତନ ଓ ସମସ୍ୟା ସମାଧାନ କ୍ଷମତା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ବିଜ୍ଞାନ ଶିକ୍ଷାକୁ ଅଧିକ ରୋଚକ, ପ୍ରୟୋଗଭିତ୍ତିକ ଓ ଛାତ୍ରକୈନ୍ଦ୍ରିକ କରିବା ଦିଗରେ ଏପରି କାର୍ଯ୍ୟକ୍ରମ ନିୟମିତ ଭାବେ ଆୟୋଜନର ଆବଶ୍ୟକତା ଉପରେ ମତ ପ୍ରକାଶ ପାଇଥିଲା।
