ଭାଙ୍ଗୁଛି ସଂସାର, ନଷ୍ଟ ହେଉଛି ଭବିଷ୍ୟତ : ବଙ୍ଗୋମୁଣ୍ଡା ଗ୍ରାମର ମହିଳାଙ୍କ ମଦ ବିରୋଧୀ ସଂଗ୍ରାମ

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ଗମ୍ବାରୀଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଙ୍ଗୋମୁଣ୍ଡା ଗ୍ରାମରେ ବେଆଇନ ମଦ ବିକ୍ରି ବନ୍ଦ ଦାବିରେ ଶନିବାର ଗ୍ରାମବାସୀମାନେ କୋକସରା ଥାନା ଘେରାଉ କରିଛନ୍ତି। ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ହାତରେ ପ୍ଲାକାର୍ଡ ଧରି ମଦ ବିରୋଧୀ ନାରାବାଜି ସହ ଥାନା ଆଗରେ ପ୍ରତିବାଦ କରିବା ପରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଗାଁରେ ବେଆଇନ ମଦ ବିକ୍ରି ଯୋଗୁଁ ସାନରୁ ବଡ଼ ସମସ୍ତେ ମଦ୍ୟପାନ କରୁଥିବାରୁ ପାରିବାରିକ ଅଶାନ୍ତି ଓ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ମହିଳାମାନେ କୂଳିମଜୁରି କରି ପରିବାର ଚଳାଉଥିବା ବେଳେ ପୁରୁଷମାନେ ମଦ ପିଇ ଟଙ୍କା ଉଡ଼ାଉଥିବାରୁ ପରିବାର ପ୍ରତିପୋଷଣ କଷ୍ଟକର ହୋଇପଡୁଛି। ୨୬ ନମ୍ବର ଜାତୀୟ ରାଜପଥ ବଙ୍ଗୋମୁଣ୍ଡା ଛକ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିକଟରେ ଖୁଲମ୍‌ଖୁଲା ମଦ ବିକ୍ରି ହେଉଥିବାରୁ ଏହା କୋମଳମତି ଛାତ୍ରଛାତ୍ରୀଙ୍କ ଉପରେ କୁପ୍ରଭାବ ପକାଉଛି। ଏହି ବେଆଇନ କାରବାର ଉପରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମର ଅମ୍ବିକା ଦଳପତି, ସୁଷମା ଦଳପତି, ଗୋଲାପୀ ଦଳପତି, ପୁଷ୍ପାଞ୍ଜଳି ଦଳପତି, ପାର୍ବତୀ ନାୟକ, ଦେବକୀ ନାଏକ, ପ୍ରେମସିଲା ପୂଜାରୀ, ମାରୁଆ ପୂଜାରୀ ଓ ଲତା ଦଳପତିଙ୍କ ସମେତ ଶତାଧିକ ଗ୍ରାମବାସୀ ଥାନାରେ ପହଞ୍ଚି ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *