ରୁଦ୍ରଦ୍ୱାର ବୈଠକରେ ପଞ୍ଚାୟତ ନିର୍ବାଚନ ରଣନୀତି ନେଇ ବିଜେପିର ଆଲୋଚନା

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଗୋଲାମୁଣ୍ଡା ବ୍ଲକ ଅଞ୍ଚଳରେ ରାଜନୈତିକ ଗତିବିଧି ଧୀରେ ଧୀରେ ତୀବ୍ର ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବୈଠକ ଓ ସାଂଗଠନିକ କାର୍ଯ୍ୟକ୍ରମ ଜାରି ରହିଛି। ଏହି କ୍ରମରେ ଗୋଲାମୁଣ୍ଡା ବ୍ଲକ ଉପକଣ୍ଠସ୍ଥିତ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଏକ ରୁଦ୍ରଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା। ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, କେଗାଁ ମଣ୍ଡଳ ବିଜେପି ପ୍ରଭାରୀ, ନୂଆପଡ଼ା ଜିଲ୍ଲା ଯୁବମୋର୍ଚ୍ଚା ଇନ୍‌ଚାର୍ଜ ତଥା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ୱରେ ଏହି ବୈଠକ ହୋଇଥିଲା। ବ୍ଲକର ବିଭିନ୍ନ ପଞ୍ଚାୟତରୁ ଦଳୀୟ ଯୁବ ସଂଗଠନର କର୍ମକର୍ତ୍ତା ଓ ଶତାଧିକ କର୍ମୀ ଯୋଗଦେଇଥିଲେ। ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ସାଂଗଠନିକ ପ୍ରସ୍ତୁତି, ଯୁବ କର୍ମୀଙ୍କ ଭୂମିକା ଏବଂ ପଞ୍ଚାୟତ ଓ ୱାର୍ଡ ସ୍ତରରେ ଲୋକଙ୍କ ସହ ଯୋଗାଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଥିଲା। ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଯୁବ କର୍ମୀମାନଙ୍କୁ ଦଳୀୟ ସଂଗଠନକୁ ମଜବୁତ କରିବା ସହ ଲୋକଙ୍କ ସମସ୍ୟା ଓ ସୁଖଦୁଃଖରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ। ଏଥିସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ବୈଠକରେ ସଦର ମଣ୍ଡଳ ସଭାପତି ବୈଶାଖୁ କେତକୀ, ଗଙ୍ଗା ବିଷ୍ଣୁ ମୁଣ୍ଡ, ମୁରଲୀ ମାଝୀ, ହେମନ୍ତ ବାଗ ଓ ନକୁଳ ରାଉତ ଯୋଗଦେଇଥିଲେ। ଦଶପୁର ମଣ୍ଡଳରୁ ସଭାପତି ପ୍ରମୋଦ ପ୍ରଧାନ, ଭାଗ୍ୟବାନ ବାଗ, ଅନନ୍ତରାମ ବେହେରା ଓ ଲଳିତ ପ୍ରଧାନ ଉପସ୍ଥିତ ଥିଲେ। ସେହିପରି କେଗାଁ ମଣ୍ଡଳ ସଭାପତି ଜୟକୃଷ୍ଣ ସାହୁଙ୍କ ସମେତ ଜୟନ୍ତ ସିଂ, ମନୋଜ ଅଗ୍ରୱାଲ, ଦୁରୁଦାକ୍ଷ୍ୟ ପୁଟେଲ, ଜୟରାମ ସାହୁ ଓ ଚମ୍ପାବତୀ ସାହୁଙ୍କ ସହ ଅନ୍ୟାନ୍ୟ କର୍ମୀ ଯୋଗଦେଇଥିଲେ।ଦଳୀୟ ନେତା ଓ କର୍ମୀମାନେ ଆଗାମୀ ନିର୍ବାଚନରେ ବିଜେପିକୁ ଅଧିକ ଶକ୍ତିଶାଳୀ କରିବା ନେଇ ସାଂଗଠନିକ ଭାବେ ପ୍ରସ୍ତୁତ ହେବାର ଆବଶ୍ୟକତା ଉପରେ ମତ ରଖିଥିଲେ। ତେବେ ନିର୍ବାଚନ ପୂର୍ବରୁ ବ୍ଲକରେ ବିଜେପିର ଏଭଳି ଲଗାତାର ବୈଠକ ଓ ସାଂଗଠନିକ କାର୍ଯ୍ୟକ୍ରମ ସ୍ଥାନୀୟ ରାଜନୈତିକ ପରିବେଶକୁ ସରଗରମ କରିଛି। ଅନ୍ୟପକ୍ଷରେ, ଏହି ସାଂଗଠନିକ ଗତିବିଧି ଆଗାମୀ ନିର୍ବାଚନରେ କେତେ ପ୍ରଭାବ ପକାଇବ, ତାହା ନିର୍ବାଚନୀ ଫଳାଫଳ ପରେ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *