ଲଦ ସିକକାଙ୍କୁ ଗିରଫ ପ୍ରତିବାଦରେ କଲ୍ୟାଣସିଂହପୁର ଥାନା ଘେରାଉ

ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ନିୟମଗିରି ସୁରକ୍ଷା ସମିତିର ଆବାହକ ତଥା ସଭାପତି ଲଦ ସିକକାଙ୍କୁ ପୁଲିସ ଗିରଫ  ଘଟଣାକୁ ନେଇ କଲ୍ୟାଣସିଂହପୁର ସହରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଲଦଙ୍କୁ ତୁରନ୍ତ ନିଃସର୍ତ୍ତ ଖଲାସ କରିବା ଦାବିରେ ଶତାଧିକ ଡଙ୍ଗରିଆ ଓ ସ୍ଥାନୀୟ ବାସିନ୍ଦା ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ସ୍ଥାନୀୟ ଥାନା ଘେରାଉ କରିଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଥାନା ପରିସରରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ରାୟଗଡ଼ା ଏସଡିପିଓ ଗୌରହରି ସାହୁ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜାରି ରଖିଥିଲେ ମଧ୍ୟ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସୂଚନା ଅନୁଯାୟୀ, ଗତକାଲି  ଲଦ ସିକକା ଦୁଇଟି ପୁରୁଣା ମାମଲାରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସ୍ଥିତ (ଯେଏମଅଫସି) କୋର୍ଟରେ ହାଜର ହୋଇ ଜାମିନ ପାଇଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ସେ ତାଙ୍କ ଆଇନଜୀବୀ ଓ ସହଯୋଗୀଙ୍କ ସହ ଫେରୁଥିବା ବେଳେ କଲ୍ୟାଣସିଂହପୁର ଆଇଆଇସି ଅଜିତ୍ କୁମାର ପରିଡ଼ା, କେସିଙ୍ଗା ଏସ୍ଡ଼ିପିଓ ସନ୍ଦୀପ କୁମାର ମାଝୀ ଏବଂ ବିଶ୍ୱନାଥପୁର ଆଇଆଇସି କଳ୍ପନା ବେହେରାଙ୍କ ନେତୃତ୍ୱରେ ଆସିଥିବା ପୁଲିସ ଟିମ୍ ତାଙ୍କ ଗାଡ଼ିକୁ ଅଟକାଇ ବଳପୂର୍ବକ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ, ରାୟଗଡ଼ା ଜିଲ୍ଲାର ବିଭିନ୍ନ ଥାନାରେ ଲଦଙ୍କ ନାମରେ ପ୍ରାୟ ୧୧ଟି ମାମଲା ବିଚାରାଧୀନ ରହିଥିବା ଏବଂ ତାଙ୍କ ନାମରେ ପୂର୍ବରୁ ୱାରେଣ୍ଟ ଜାରି ଥିବାରୁ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ନିୟମଗିରି ସୁରକ୍ଷା ସମିତି ପକ୍ଷରୁ କଲ୍ୟାଣସିଂହପୁର ଆଇଆଇସିଙ୍କ ଜରିଆରେ ରାୟଗଡ଼ା ଆରକ୍ଷୀ ଅଧୀକ୍ଷକଙ୍କୁ ଏକ ଜରୁରୀ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସମିତି ଅଭିଯୋଗ କରିଛି ଯେ ଶ୍ରୀସିକକାଙ୍କୁ ନେଇଯିବା ସମୟରେ ତାଙ୍କ ଆଇନଜୀବୀ ନରେନ୍ଦ୍ର ମହାନ୍ତିଙ୍କୁ କୌଣସି ଲିଖିତ ‘ଆରେଷ୍ଟ ମେମୋ’ ପ୍ରଦାନ କରାଯାଇନାହିଁ କିମ୍ବା ଗିରଫଦାରୀର ଆଇନଗତ ଆଧାର ସ୍ପଷ୍ଟ କରାଯାଇନାହିଁ। ଗିରଫ ପରେ ତାଙ୍କୁ କେଉଁ ସ୍ଥାନରେ ବନ୍ଦୀ ରଖାଯାଇଛି ସେ ସମ୍ପର୍କରେ ଥାନା କିମ୍ବା ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ଆନୁଷ୍ଠାନିକ ତଥ୍ୟ ମିଳିନାହିଁ। ନିୟମଗିରିର ଜଳ, ଜଙ୍ଗଲ, ଜମି ଓ ଜୀବିକା ରକ୍ଷା ପାଇଁ ଚାଲିଥିବା ଗଣତାନ୍ତ୍ରିକ ଆନ୍ଦୋଳନକୁ ଦମନ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ଲଦ ସିକକାଙ୍କ ତୁରନ୍ତ ମୁକ୍ତି ଏବଂ ସମଗ୍ର ଘଟଣାର ନିରପେକ୍ଷ ତଦନ୍ତ ଦାବି କରି ସମିତି ଚେତାବନୀ ଦେଇଛି ଯେ, ଯଦି ତାଙ୍କୁ ଶୀଘ୍ର ଖଲାସ କରା ନ ଯାଏ, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଜିଲ୍ଲାବ୍ୟାପୀ ତୀବ୍ର କରାଯିବ। ଏଇ ଘଟଣା ରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।

Leave a Reply

Your email address will not be published. Required fields are marked *