ବିରୂପା ନଦୀର ପ୍ରଖର ସ୍ରୋତରେ ଭାସିଗଲେ ଦମ୍ପତି, ସ୍ତ୍ରୀ ଉଦ୍ଧାର-ସ୍ୱାମୀ ନିଖୋଜ

ବାଲିଚନ୍ଦ୍ରପୁର/କ୍ରାନ୍ତିକ୍ଷେତ୍ର (ଜିତେନ୍ଦ୍ର ନନ୍ଦ) : ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ବାଲିକୁଦା ଗ୍ରାମରେ ଅଭାବନୀୟ ଘଟଣା। ଭୋର ସମୟରେ ଶୌଚ ପାଇଁ ବିରୂପା ନଦୀକୁ ଯାଇଥିବା ଏକ ଦମ୍ପତି ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିବା ଜଣାପଡ଼ିଛି। ଦମ୍ପତି ହେଲେ ବାଲିକୁଦା ଗ୍ରାମର ସୁଧାକର ଓଝା (୫୫) ଓ ତାଙ୍କ ସ୍ତ୍ରୀ ସୁଲୋଚନା ଓଝା (୫୦)। ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଉଭୟେ ନିକଟସ୍ଥ ବିରୂପା ନଦୀକୁ ଶୌଚ ପାଇଁ ଯାଇଥିଲେ। ଦୀର୍ଘ ସମୟ ଧରି ସେମାନେ ଘରକୁ ନଫେରିବାରୁ ପରିବାର ଲୋକେ ନଦୀ ତୁଠରେ ପହଞ୍ଚିଥିଲେ। ସେଠାରେ ସେମାନଙ୍କ ଲୁଗାପଟା, ବାଲଟି ଓ ଚପଲ ପଡ଼ିଥିବା ଦେଖି ନଦୀରେ ଭାସିଯାଇଥିବା ସନ୍ଦେହ କରିଥିଲେ। ଏନେଇ ବାଲିଚନ୍ଦ୍ରପୁର ଥାନା ଓ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଖବର ପାଇ ବାଲିଚନ୍ଦ୍ରପୁର ପୁଲିସ ସହ ବଡ଼ଚଣା ଓ ବରୀରୁ ଦୁଇଟି ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଖୋଜିବା ଆରମ୍ଭ କରିଥିଲେ।

ତେବେ ପ୍ରାୟ ୧୦ କିଲୋମିଟର ଦୂର କେନ୍ଦ୍ରାପଡ଼ା ଜିଲ୍ଲାର ଛୋଟି (ପଲ୍ଲୀ) ନିକଟରେ ନଦୀ କୂଳରେ ବେଣା ବୁଦା ପାଖରେ ଜଣେ ମହିଳା ପଡ଼ିଥିବା ଖବର ମିଳିଥିଲା। ପରିବାର ଲୋକେ ତୁରନ୍ତ ସେଠାରେ ପହଞ୍ଚି ଗୁରୁତର ଅବସ୍ଥାରେ ସୁଲୋଚନା ଓଝାଙ୍କୁ ଉଦ୍ଧାର କରିଥିଲେ। ପ୍ରଥମେ ତାଙ୍କୁ ଇନ୍ଦୁପୁର ଓ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପରେ କଟକ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସେ କଟକରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ସୁଧାକର ଓଝାଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀର ଦୁଇଟି ଦଳ ବାଲିକୁଦାଠାରୁ ଇନ୍ଦୁପୁର ପର୍ଯ୍ୟନ୍ତ ନଦୀରେ ବ୍ୟାପକ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନାହିଁ। ପରେ ଅଗ୍ନିଶମ ବାହିନୀ ଫେରିଯାଇଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ଦିଲୀପ କୁମାର ମହାନ୍ତିଙ୍କ ସୂଚନା ଅନୁଯାୟୀ, ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *