ଜୁନାଗଡ଼ରେ ‘ଲାଲବାଗଚା ରାଜା’ ଶୈଳୀରେ ଗଣେଶ ପୂଜା

ଜୁନାଗଡ଼/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଏନ୍‌.ଏ.ସି. ଅନ୍ତର୍ଗତ ବଜାରପଡ଼ା ୱାର୍ଡ ନଂ. ୨ରେ ମଙ୍ଗଳ ମୂର୍ତ୍ତି କମିଟି ପକ୍ଷରୁ ବିଘ୍ନବିନାଶକ ଶ୍ରୀଗଣେଶଙ୍କ ପୂଜନୋତ୍ସବ ମହାସମାରୋହରେ ପାଳିତ ହେଉଛି। ଭକ୍ତି, ଉତ୍ସାହ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଚାଲିଥିବା ଏହି ପୂଜାକୁ ନେଇ ସମଗ୍ର ଜୁନାଗଡ଼ ସହରରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ଚଳିତ ବର୍ଷ ପୂଜାର ସବୁଠାରୁ ବଡ଼ ଆକର୍ଷଣ ପାଲଟିଛି ମୁମ୍ବାଇର ପ୍ରସିଦ୍ଧ ‘ଲାଲବାଗଚା ରାଜା’ ଶୈଳୀରେ ନିର୍ମିତ ଶ୍ରୀଗଣେଶଙ୍କ ମନୋମୁଗ୍ଧକର ପ୍ରତିମୂର୍ତ୍ତି। ଭବ୍ୟ ରୂପରେ ସଜ୍ଜିତ ଏହି ପ୍ରତିମୂର୍ତ୍ତି ଶ୍ରଦ୍ଧାଳୁଙ୍କ ମନ ମୋହିଥିବା ବେଳେ ଦର୍ଶନ ପାଇଁ ପ୍ରତିଦିନ ମଣ୍ଡପରେ ଭକ୍ତଙ୍କ ଭିଡ଼ ଜମୁଛି। ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ମଙ୍ଗଳ ମୂର୍ତ୍ତି କମିଟିର ସ୍ଥାନୀୟ ଯୁବକମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୂଜାର ସମସ୍ତ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହେଉଛି। ଯୁବକମାନଙ୍କ ସକ୍ରିୟ ଭୂମିକା ଓ ସାମୂହିକ ପ୍ରୟାସ ଯୋଗୁଁ ଚଳିତ ବର୍ଷର ଆୟୋଜନ ଅଧିକ ଆକର୍ଷଣୀୟ ହୋଇପାରିଛି। ଏହି ପୂଜାରେ ସ୍ଥାନୀୟ ପୂଜକ ମୁରଲୀ ତ୍ରିପାଠୀ ନିଜର ଧାର୍ମିକ ଜ୍ଞାନ ଓ ପାରମ୍ପରିକ ରୀତିନୀତି ଅନୁସାରେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରାଇଥିଲେ। ଠାକୁରଙ୍କ ପୂଜାର କର୍ତ୍ତା ଭାବେ ଶିବା ବାଣୁଆ ଓ ତାଙ୍କ ପତ୍ନୀ ପୂଜାର ବିଧିବିଧାନରେ ଅଂଶଗ୍ରହଣ କରିଥିଲେ। ପୂଜା ପାଳନ ସମୟରେ କମିଟିର ସମସ୍ତ ସଦସ୍ୟ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ଶ୍ରୀଗଣେଶଙ୍କ ଆଶୀର୍ବାଦ ନେଇଥିଲେ। ଏଥିସହ ନିଜ ପରିବାର ଓ ସମାଜର ସୁଖ, ଶାନ୍ତି, ସମୃଦ୍ଧି ଏବଂ ମଙ୍ଗଳ କାମନା କରି ପ୍ରାର୍ଥନା କରିଥିଲେ। ପୂଜା ପରିଚାଳନାରେ କମିଟିର ସଭାପତି ଚନ୍ଦ୍ରଶେଖର ବୈଠାରୁ, ଉପସଭାପତି ସ୍ବାସ୍ତିଦୀପ ଆଦିତ୍ୟଙ୍କ ସମେତ ମଙ୍ଗଳ ମୂର୍ତ୍ତି କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। କେବଳ ଶ୍ରୀଗଣେଶଙ୍କ ମନୋମୁଗ୍ଧକର ପ୍ରତିମୂର୍ତ୍ତି ନୁହେଁ, ଭବ୍ୟ ପୂଜାମଣ୍ଡପ, ଆକର୍ଷଣୀୟ ସାଜସଜ୍ଜା ଓ ଚିତ୍ତାକର୍ଷକ ଆଲୋକମାଳା ମଧ୍ୟ ଚଳିତ ବର୍ଷର ପୂଜାର ଅନ୍ୟତମ ଆକର୍ଷଣ ପାଲଟିଛି। ସନ୍ଧ୍ୟା ହେଲେ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସି ଉଠୁଛି ପୂଜାମଣ୍ଡପ। ମଣ୍ଡପର ଏହି ଆକର୍ଷଣୀୟ ସାଜସଜ୍ଜା ସହ ଶ୍ରୀଗଣେଶଙ୍କ ଭବ୍ୟ ପ୍ରତିମୂର୍ତ୍ତି ଦର୍ଶନ ପାଇଁ ଲୋକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ୯ ଦିନିଆ ଏହି ଗଣେଶ ପୂଜାକୁ ନେଇ ଜୁନାଗଡ଼ରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ପ୍ରତିଦିନ ଶ୍ରଦ୍ଧାଳୁଙ୍କ ସମାଗମ ମଙ୍ଗଳ ମୂର୍ତ୍ତି କମିଟିର ଆୟୋଜନକୁ ଆହୁରି ଭବ୍ୟ କରିଦେଇଛି। ଲାଲବାଗଚା ରାଜା ଶୈଳୀର ଏହି ଭବ୍ୟ ପ୍ରତିମୂର୍ତ୍ତି ଓ ଆକର୍ଷଣୀୟ ସାଜସଜ୍ଜା ଦେଖିବା ପାଇଁ ଜୁନାଗଡ଼ ସମେତ ଆଖପାଖ ଅଞ୍ଚଳରୁ ମଧ୍ୟ ଶ୍ରଦ୍ଧାଳୁଙ୍କ ଆଗମନ ଜାରି ରହିଛି।

Leave a Reply

Your email address will not be published. Required fields are marked *