ରୁଣ୍ଡିମହୁଲ, ଉମା ଓ ଖୁଣ୍ଟିଗୋରାରେ ପୋଲିସର ଫ୍ଲାଗ୍ ମାର୍ଚ୍ଚ

କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର (ମନଧର କର୍ମୀ) : ଅଞ୍ଚଳରେ ଆଇନଶୃଙ୍ଖଳା ବଜାୟ ରଖିବା, ଅସାମାଜିକ କାର୍ଯ୍ୟକଳାପକୁ ନିରୁତ୍ସାହିତ କରିବା ଏବଂ ସାଧାରଣ ଲୋକଙ୍କ ମନରେ ସୁରକ୍ଷା ଭାବନା ସୃଷ୍ଟି କରିବା ଉଦ୍ଦେଶ୍ୟରେ କଣ୍ଟାମାଳ ଓ ଘଣ୍ଟାପଡ଼ା ଥାନା ପୋଲିସ ପକ୍ଷରୁ ମିଳିତ ଭାବେ ରୁଣ୍ଡିମହୁଲ, ଉମା ଓ ଖୁଣ୍ଟିଗୋରା ଗ୍ରାମରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି। ଦୁଇ ଥାନାର ପୋଲିସ କର୍ମଚାରୀମାନେ ମିଳିତ ଭାବେ ଗ୍ରାମର ବିଭିନ୍ନ ଅଞ୍ଚଳରେ ପଦଯାତ୍ରା କରିବା ସହ ଆଇନଶୃଙ୍ଖଳା ପ୍ରତି ପୋଲିସର ଦୃଢ଼ ନଜର ରହିଥିବା ବାର୍ତ୍ତା ଦେଇଥିଲେ। ଫ୍ଲାଗ୍ ମାର୍ଚ୍ଚ ସମୟରେ ଗଣ୍ଡଗୋଳ ସୃଷ୍ଟି, ଅସାମାଜିକ କାର୍ଯ୍ୟକଳାପରେ ଜଡ଼ିତ ହେବା, ଆଇନକୁ ହାତକୁ ନେବା ଏବଂ ସାଧାରଣ ଲୋକଙ୍କ ଶାନ୍ତି ଭଙ୍ଗ କରିବା ଭଳି କାର୍ଯ୍ୟରୁ ଦୂରେଇ ରହିବା ପାଇଁ ପୋଲିସ ପକ୍ଷରୁ ସଚେତନ କରାଯାଇଥିଲା। ଗ୍ରାମାଞ୍ଚଳରେ ଶାନ୍ତି, ଶୃଙ୍ଖଳା ଓ ସୌହାର୍ଦ୍ଦ୍ୟ ବଜାୟ ରଖିବା ସହ କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ସୃଷ୍ଟି ନହୁଏ, ସେଥିପାଇଁ ପୋଲିସର ନିୟମିତ ପାଟ୍ରୋଲିଂ ଓ ନଜରଦାରୀ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏହି ମିଳିତ ଫ୍ଲାଗ୍ ମାର୍ଚ୍ଚ ଦ୍ୱାରା ଅଞ୍ଚଳରେ ଆଇନଶୃଙ୍ଖଳା ରକ୍ଷା ନେଇ ପୋଲିସର ସତର୍କତା ସ୍ପଷ୍ଟ ହୋଇଥିବା ବେଳେ ଏହା ସାଧାରଣ ଲୋକଙ୍କ ମଧ୍ୟରେ ସୁରକ୍ଷାର ଭାବନା ସୃଷ୍ଟି କରିଛି। ଏହି କାର୍ଯ୍ୟକ୍ରମରେ କଣ୍ଟାମାଳ ଥାନା ଆଇଆଇସି ଓମପ୍ରକାଶ ମହାନ୍ତି ଓ ଘଣ୍ଟାପଡ଼ା ଥାନା ଆଇଆଇସି ସୌମ୍ୟରଞ୍ଜନ ପାତ୍ରଙ୍କ ସମେତ ଦୁଇ ଥାନାର ପୋଲିସ କର୍ମଚାରୀମାନେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *