କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର (ମନଧର କର୍ମୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳସ୍ଥିତ ପଞ୍ଚାୟତ ଡିଗ୍ରୀ କଲେଜର ରାଜନୀତି ବିଜ୍ଞାନ ବିଭାଗ ଏବଂ ପ୍ରଧାନମନ୍ତ୍ରୀ ଉଚ୍ଚଶିକ୍ଷା ଉନ୍ନତି ଯୋଜନା ଅଧୀନରେ ଛାତ୍ରଛାତ୍ରୀଙ୍କ କ୍ୟାରିୟର ଗଠନ ତଥା ଭବିଷ୍ୟତ ଦିଗ ନିର୍ଦ୍ଧାରଣ ଉଦ୍ଦେଶ୍ୟରେ ‘ଉଚ୍ଚଶିକ୍ଷା, ଗବେଷଣା ଓ ପ୍ରଶାସନିକ ସେବା’ ସମ୍ପର୍କିତ ଏକ ଦିନିକିଆ ସଚେତନତାମୂଳକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପରେ କେଉଁ କେଉଁ କ୍ଷେତ୍ରରେ ନିଜର ଭବିଷ୍ୟତ ଗଢ଼ିପାରିବେ, ଗବେଷଣା କ୍ଷେତ୍ରରେ କିପରି ଆଗକୁ ବଢ଼ିପାରିବେ ଏବଂ ପ୍ରଶାସନିକ ସେବା ଭଳି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କିପରି ନିଜକୁ ପ୍ରସ୍ତୁତ କରିବେ, ସେ ନେଇ କର୍ମଶାଳାରେ ବିସ୍ତୃତ ଆଲୋଚନା ସହ ମାର୍ଗଦର୍ଶନ ପ୍ରଦାନ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଅନୋଜ କୁମାର ଭୁକ୍ତାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ବକ୍ତା ଭାବେ ମସୁରୀସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନ ଏକାଡେମୀର ଗବେଷଣା ସହକର୍ମୀ ଡ. ସ୍ମୃତିରେଖା ସାହୁ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତିର ବିଭିନ୍ନ ଦିଗ ସମ୍ପର୍କରେ ମୂଲ୍ୟବାନ ମାର୍ଗଦର୍ଶନ ଦେଇଥିଲେ। ପ୍ରଶାସନିକ ସେବା ପରୀକ୍ଷା ପାଇଁ ଦୃଢ଼ ମାନସିକତା, ନିୟମିତ ଅଧ୍ୟୟନ, ସମୟର ସଠିକ୍ ପରିଚାଳନା, ବିଷୟଭିତ୍ତିକ ଜ୍ଞାନ ଓ ସମସାମୟିକ ଘଟଣାବଳୀ ସମ୍ପର୍କରେ ସଚେତନତା କିପରି ପ୍ରସ୍ତୁତିକୁ ସୁଦୃଢ଼ କରିପାରିବ, ସେ ସମ୍ପର୍କରେ ସେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ଏଥିସହ ଗବେଷଣା କ୍ଷେତ୍ରରେ ଉଚ୍ଚଶିକ୍ଷାର ସୁଯୋଗ, ଗବେଷଣା ପାଇଁ ଆବଶ୍ୟକ ଦକ୍ଷତା, ନୂତନ ବିଷୟ ଚୟନ, ଅଧ୍ୟୟନ ଓ ଗବେଷଣାମୂଳକ ଚିନ୍ତାଧାରାର ବିକାଶ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। ବିଶେଷକରି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ନିଜ ମଧ୍ୟରେ ଥିବା ପ୍ରତିଭା ଓ ସମ୍ଭାବନାକୁ ଚିହ୍ନଟ କରି ଉଚ୍ଚଶିକ୍ଷା, ଗବେଷଣା ଓ ପ୍ରଶାସନିକ ସେବା ଭଳି କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନିରନ୍ତର ପ୍ରୟାସ କରିବା ଆବଶ୍ୟକ ବୋଲି ମୁଖ୍ୟ ବକ୍ତା ପରାମର୍ଶ ଦେଇଥିଲେ। କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ସହିତ ନିଜର ଭବିଷ୍ୟତ କ୍ୟାରିୟର ସମ୍ପର୍କରେ ସଚେତନ କରିବା ଏବଂ ଉଚ୍ଚଶିକ୍ଷା ପରବର୍ତ୍ତୀ ବିଭିନ୍ନ ସୁଯୋଗ ସମ୍ପର୍କରେ ଅବଗତ କରାଇବା। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ମୁଖ୍ୟ ବକ୍ତାଙ୍କ ସହ ଆଲୋଚନା କରି ନିଜ କ୍ୟାରିୟର ଓ ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଓ ପରାମର୍ଶ ପାଇଥିଲେ। ଏହି ଅବସରରେ ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତକରଣ କକ୍ଷର ସଂଯୋଜକ ରବୀନ୍ଦ୍ର କୁମାର ପଧାନ, ପ୍ରଧାନମନ୍ତ୍ରୀ ଉଚ୍ଚଶିକ୍ଷା ଉନ୍ନତି ଯୋଜନାର ନୋଡାଲ ଅଧିକାରୀ ପୌଲସ୍ତୀ ପ୍ରଧାନ, ପୂର୍ବତନ ଅଧ୍ୟକ୍ଷ ଭବାନୀ ଶଙ୍କର ରାଉତ, ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ସମୀର ମେହେର, ସଞ୍ଚାଳକ ସଂଶିତ୍ ରଥଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି କର୍ମଶାଳାକୁ ସଫଳ କରିଥିଲେ। ଏଭଳି କାର୍ଯ୍ୟକ୍ରମ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ନିଜ ଭବିଷ୍ୟତ ନେଇ ସ୍ପଷ୍ଟ ଧାରଣା ଦେବା ସହ ଉଚ୍ଚଶିକ୍ଷା, ଗବେଷଣା ଓ ପ୍ରଶାସନିକ ସେବା ଭଳି କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।
