କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧୀନ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ୪୫ଜଣ ଶିକ୍ଷକ ଲେଭେଲ୍-ଭିଏ ରୁ ଲେଭେଲ୍-ଭିବି କୁ ପଦୋନ୍ନତି ଲାଭ କରିଛନ୍ତି। ବୁଧବାର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ପଦୋନ୍ନତି ପ୍ରାପ୍ତ ସମସ୍ତ ଶିକ୍ଷକଙ୍କୁ ନିର୍ଦ୍ଦେଶନାମା ପତ୍ର ପ୍ରଦାନ କରାଯାଇଛି। ବ୍ଳକ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ଏବଂ ଶିକ୍ଷକ ସଙ୍ଘର ପ୍ରମୁଖ କର୍ମକର୍ତ୍ତା ଯୋଗଦାନ କରି ଶିକ୍ଷକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ନିଜର ପଦୋନ୍ନତି ପତ୍ର ଗ୍ରହଣ କରିବା ପରେ ଶିକ୍ଷକମାନେ କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ, ଜିଲ୍ଲା ଶିକ୍ଷା ବିଭାଗ ଏବଂ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ପଦୋନ୍ନତି ବ୍ଳକର ଶିକ୍ଷକ ସମାଜରେ ଏକ ନୂତନ ଉତ୍ସାହ ଏବଂ ଆନନ୍ଦର ବାତାବରଣ ସୃଷ୍ଟି କରିଛି। ଏହି ଅବସରରେ ବରିଷ୍ଠ କିରାଣୀ ମନୋରଞ୍ଜନ କୁମାର, କିରାଣୀ ଅନିଲ ପଣ୍ଡା, ଏବିଓ ଶ୍ରୀମନ୍ତ ଧରୁଆ, ବ୍ଳକ ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ବୀର କିଶୋର ନାଗ, ସମ୍ପାଦକ ଦିଲ୍ଲୀପ କୁମାର ସାହୁ, ସାହ-ସମ୍ପାଦକ ଅଜିତ କୁମାର ସାହୁ, ସିଆରସିସି ଶ୍ରୀମନ୍ତ ଠାକୁର, ଉମାଶଙ୍କର ଶତନାମି ଓ ଫଲ୍ଗୁନୀ ବାଣୁଆ ପ୍ରମୁଖ ଉପସ୍ଥିତ ରହି ଶିକ୍ଷକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।
