ଛତର ରୁପରେ ଦର୍ଶନ ଦେଲେ ମା’ ସର୍ବମଙ୍ଗଳା

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ସଦର ମହକୁମା ପଞ୍ଚାୟତର ଚିଲିଗୁଡାଠାରୁ ପୂଜିତ ଦେବୀ ସର୍ବମଙ୍ଗଳାଙ୍କ ଛତର ଯାତ୍ରା ମହାସମାରୋହରେ ପାଳିତ ହୋଇଛି। ଦେବୀ ରକ୍ତ ଭୋଗ ବଦଲରେ ଶୁକ୍ଳ ଭୋଗରେ ପୂଜା ପାଇଥିବାବେଳେ ଛତର ରୁପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ପ୍ରାଚୀନ ‘ଅଭିଚାର ତନ୍ତ୍ର’ ଧାରାର ଅନ୍ୟତମ ସର୍ବମାନ୍ୟ ଦେବୀ ହେଉଛନ୍ତି ମା’ ସର୍ବମମଙ୍ଗଳା। ବର୍ଷକରେ ଥରେ ମା’ଙ୍କ ଛତର ଯାତ୍ରା ବାହାରିଥାଏ। ସୋମବାର ମଧ୍ୟରାତ୍ରୀରୁ ଦେବୀଙ୍କ ଛତର ମନ୍ଦିରରୁ ବାହାରି ଗାଁ ଗୌନ୍ତିଆ ବିନୋଦ ବିହାରୀ ସିଂଙ୍କ ଘରକୁ ଆସିଥାଏ। ତେବେ କୌଣସି କାରଣରୁ ଚଳିତ ବର୍ଷ ପରମ୍ପରାରେ କିଛି ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ମୁଟୁରା ନଦୀ କୂଳରେ ଥିବା ବିହନଛିନା ଗୁଡ଼ିରୁ ଦେବିଙ୍କ ଛତର ଯାତ୍ରା ବାହାରି ଥିଲା। ସେଠାରେ ଦେବୀଙ୍କ ପ୍ରତିମା ଛତର ରୂପରେ ପୂଜାର୍ଚ୍ଚନା ପରେ ସକାଳୁ ଦେବୀଙ୍କ ଛତର ମନ୍ଦିର ଅଭିମୂଖେ ବାହାରି ଯାଇଥିଲା। ଏହି ସମୟରେ ହଜାର ହଜାର ଶ୍ରଦ୍ଧାଳୁ ରାସ୍ତା କଡ଼ରେ ଠିଆ ହୋଇ ଧୂପଦୀପ ଜଳାଇ ମନ୍ଦାର ମାଳ, ବେଳପତ୍ର, ନଡିଆ ଭାଙ୍ଗି ପୁଜା କରି ମା’ଙ୍କ ନିକଟରେ ଆଶ୍ରୀବାଦ ଭିକ୍ଷା କରିବା ସହ ମାନସିକ କରିଥିଲେ। ଦେବୀଙ୍କ ଛତର ଗାଁ ପରିକ୍ରମା କରି ମୁଖ୍ୟ ପୀଠକୁ ପହଞ୍ଚି ଥିଲା। ରାତିରେ ନାଟକ, ଘୁମୁରା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠାନ ଅନୁଷ୍ଠିତ ହୋଇଥିଲା। ପୂଜା କମିଟି ସଭାପତି ପ୍ରଶାନ୍ତ ସିଂହ, ସମ୍ପାଦକ ଅଭିମନ୍ୟୁ ଗୋପାଳ, ଉପ-ସଭାପତି ଦୈତାରୀ ବାରିକ, ସହ ସମ୍ପାଦକ ରଜନୀକାନ୍ତ ପଣ୍ଡା, ପୂଜକ ମନଧର ପୁଝାରୀ, ଉପଦେଷ୍ଟା ଉତ୍ତମ କୁମାର ପଣ୍ଡା, ଲିଙ୍ଗରାଜ ନିଆଲ ସମେତ ଗ୍ରାମବାସୀ ମାନେ ପୂଜା ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ହଜାର ହଜାର ଭକ୍ତଙ୍କୁ ଦୃଷ୍ଟିରେ ରଖି କୋକସରା ବ୍ଲକ ଯୁବ ଯାଦବ ମହାସଭା ତରଫରୁ ଜଳ ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *