ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ହାତୀ ବ୍ରିଜ ନିକଟ ରାସ୍ତା ଦୁଇ ପାର୍ଶ୍ଵରେ ବିଭିନ୍ନ ପ୍ରକାର ଆବର୍ଜନାର ପାହାଡ଼ ସୃଷ୍ଟି ହୋଇଛି।ଯାହାଫଳରେ ସ୍ଥାନୀୟ ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡୁଥିବା ବେଳେ ଯିବା ଆସିବା କରୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଦୈନିକ ସହରର ଅନେକ ଆବର୍ଜନା ରାସ୍ତାର ଦୁଇ କଡରେ ପକାଯାଉଥିବାବେଳେ ଟଏଲେଟ କ୍ଲିନର ଗାଡି ମଧ୍ୟ ଏଥରେ ଆବର୍ଜନା ଛାଡ଼ୁଛନ୍ତି।ଏଥିଯୋଗୁଁ ହାତୀ ନଦୀର ପାଣି ଦୂଷିତ ହେବାରେ ଲାଗିଛି।ପାଖରେ ଗାଁର ଶ୍ମଶାନ ରହିଛି, ଲୋକେ କେହି ମୃତ୍ୟୁ ବରଣ କଲେ ତାର ଶେଷକୃତ୍ୟ ସମ୍ପନ୍ନ ପାଇଁ ଏଠାକୁ ଆଣୁଥିବାବେଳେ ଦୁର୍ଗନ୍ଧ ଯୋଗୁଁ ହନ୍ତସନ୍ତ ହେଉଛନ୍ତି। ଅନ୍ୟପକ୍ଷରେ ବ୍ରିଜ ରାସ୍ତା କଡରେ ସୁରକ୍ଷା ବାଡ଼ ନଥିବା ବେଳେ ବିଭିନ୍ନ ସମୟରେ ଅନେକ ଦୁର୍ଘଟଣା ମାନ ଘଟୁଛି। ତଳରେ ବଡ଼ ବଡ଼ ଖାଇ ସହ ନାଳ ରହିଛି। ଟିକିଏ ଭୁଲ ହୋଇଗଲେ ଏକ ବଡ଼ ଦୁର୍ଘଟଣା ହେବ ବୋଲି ଆଶଙ୍କା ରହିଛି। ଏ ନେଇ ବିଗତ ଦିନରେ ପୂର୍ତ୍ତ ବିଭାଗର ଅଧିକାରୀ ମାନଙ୍କୁ ଅବଗତ କରାଯାଇ ଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ଦିଗରେ ପଦକ୍ଷେପ ଗ୍ରହଣ କରି ରାସ୍ତା କଡରେ ଫିଙ୍ଗୁଥିବା ଆବର୍ଜନାକୁ ବନ୍ଦ କରିବା ସହ ହାତୀ ନଦୀ ଦୁଇ ପାର୍ଶ୍ଵରେ ସୁରକ୍ଷା ବାଡ଼ ନିର୍ମାଣ ପାଇଁ ଦାବି ହୋଇଛି।