ସମସ୍ୟା ଘେରରେ ବିରିମୁହାଣ ଉ.ପ୍ରା ବିଦ୍ୟାଳୟ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନରେ ଥିବା ଆମପାଣି ଗ୍ରାମ ପଞ୍ଚାୟତର ବିରିମୁହାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ଶିକ୍ଷକ ଅଭାବ ସହ ନୂତନ ଶ୍ରେଣୀ କୋଠା ଅସମ୍ପୂର୍ଣ୍ଣ ଯୋଗୁଁ ବାରଣ୍ଡାରେ ପିଲାଙ୍କ ପାଠପଢା ଚାଳିଛି। ଆଦିବାସୀ ବହୁଳ ଏହି ବଣପାହାଡ଼ ଘେରା ବିରିମୁହାଣ ଗ୍ରାମରେ ଥିବା ବିଦ୍ୟାଳୟକୁ ସରକାର ପ୍ରାଥମିକରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଉନ୍ନୀତ କରିଛନ୍ତି। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ସହିତ ପାଞ୍ଚ ଜଣ ଶିକ୍ଷକ ରହିଛନ୍ତି। ହେଲେ ସେଥି ମଧ୍ୟରୁ ଜଣେ ଶିକ୍ଷକ ୨ବର୍ଷ ହେବ ଡେପୁଟେସନରେ ଅନ୍ୟ ସ୍କୁଲକୁ ଯାଇଛନ୍ତି। ତେବେ ୪ ଜଣଙ୍କ ମଧ୍ୟରୁ ପ୍ରଧାନ ଶିକ୍ଷକ ଅଫିସ କାର୍ଯ୍ୟ ସମ୍ଭାଳିଲେ ୩ ଜଣ ଶିକ୍ଷକଙ୍କ ହାତରେ ୮ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ପାଠପଢା ଚାଲିଛି। ଯାହା ଫଳରେ ପିଲାଙ୍କ ଶିକ୍ଷାଦାନରେ ଅନେକ ଅସୁବିଧା ହେଉଛି। ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ସମେତ ଅତି କମରେ ଜଣେ ମଧ୍ୟ ଶିକ୍ଷୟତ୍ରୀ ରହିବା କଥା। କିନ୍ତୁ ୪ଜଣ ଶିକ୍ଷକ ମଧ୍ୟରୁ ଏହି ବିଦ୍ୟାଳୟରେ ଜଣେ ହେଲେ ଶିକ୍ଷୟିତ୍ରୀ ନଥିବାରୁ ଅବିଭାବକ ମାନେ ଶିକ୍ଷୟତ୍ରୀ ନିଯୁକ୍ତି କରିବା ପାଇଁ ଦାବି କରିଛନ୍ତି। ସୂଚନା ଯେ’ ବାଲବାଟିକାକୁ ମିଶାଇ ଏହି ବିଦ୍ୟାଳୟରେ ମୋଟ ୧୩୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏଣେ ଗତ ୪ବର୍ଷ ହେବ ବିଦ୍ୟାଳୟର ନିର୍ମାଣାଧୀନ କୋଠା ସଂପୂର୍ଣ ହୋଇପାରୁନାହିଁ। ତେଣୁ ଶ୍ରେଣୀ କୋଠରୀର ଅଭାବ ହେତୁ ବାରଣ୍ଡାରେ ଶିକ୍ଷାଦାନ ଚାଲିଛି। ବିଦ୍ୟାଳୟର ବିଭିନ୍ନ ସମସ୍ୟା କାରଣରୁ ସ୍କୁଲରେ ପିଲାଙ୍କ ଉପସ୍ଥାନ କମିବାରେ ଲାଗୁଛି। ଏମିତି କି ଅଧିକାଂଶ ପିଲାମାନେ ଅଧାରୁ ପାଠ ଛାଡିବାକୁ ବାଧ୍ୟ ହେଉଥିବା ଜଣାପଡ଼ିଛି। ଆଗକୁ ବର୍ଷା ଋତୁ, ଏଣୁ ଶିକ୍ଷା ବିଭାଗ ଏବଂ ବ୍ଲକ୍ ପ୍ରଶାସନ ପକ୍ଷରୁ ତୁରନ୍ତ ଏ ଦିଗରେ ହସ୍ତକ୍ଷେପ କରି ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି। ଏବଂ ବିଦ୍ୟାଳୟରେ ଜଣେ ଶିକ୍ଷୟତ୍ରୀ ଦେବାପାଇଁ ଗାଁର ବନବାସୀ ମାଝୀ, ଧାନଫୁଲ ମାଝୀ, ସୁଧୀର ପୁଝାରୀ, ବେଲାଲ ସିଂ ବେଶ୍ରା ପ୍ରମୁଖ ଦାବୀ କରିଛନ୍ତି। ଏନେଇ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟିଙ୍କୁ ପଚାରିବାରୁ ଶିକ୍ଷକ ସମସ୍ୟା ଉପରେ ଦୃଷ୍ଟି ଦେବା ସହ ଅସମ୍ପୂର୍ଣ୍ଣ ଶ୍ରେଣୀ କୋଠା ବିଷୟରେ ବ୍ଳକ ପ୍ରଶାସନ ସହିତ ଆଲୋଚନା କରିବା ପାଇଁ କହିଛନ୍ତି।