ଉପାନ୍ତରେ ମନଇଚ୍ଛା ସ୍କୁଲ ଖୋଲୁଛନ୍ତି ଶିକ୍ଷକ

  • ଶିକ୍ଷକ ନଆସିବାରୁ ଟିର୍ଲିଆମ ସ୍କୁଲରେ ଅଘୋଷିତ ଛୁଟି

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଳକ ଆମପାଣି ଗ୍ରାମ ପଞ୍ଚାୟତର ଉପାନ୍ତ ଟିର୍ଲିଆମ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସୋମବାର କୈାଣସି ଶିକ୍ଷକ ଉପସ୍ଥିତ ରହି ନଥିବାରୁ ବିଦ୍ୟାଳୟଟି ଅଘୋଷିତ ଛୁଟି ହୋଇଛି। ଯାହାକୁ ନେଇ ଅବିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

     ପ୍ରକାଶ ଯେ’ ଟିର୍ଲିଆମ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସୋମବାର ଛାତ୍ର ଛାତ୍ରୀମାନେ ପାଠ ପଢିବା ପାଇଁ ସ୍କୁଲକୁ ଆସିଥିଲେ। କିନ୍ତୁ ବିଦ୍ୟାଳୟରେ ନିୟୋଜିତ ଥିବା ୨ଜଣ ଶିକ୍ଷକ ମଧ୍ୟରୁ କେହି ମଧ୍ୟ ସ୍କୁଲ ଆସି ନଥିଲେ। ତେଣୁ ଛାତ୍ର ଛାତ୍ରୀ ମାନେ ଦିର୍ଘ ସମୟ ଧରି ଅପେକ୍ଷା କରିବା ପରେ ନିଜ ନିଜ ଘରକୁ ଚାଲି ଯାଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ମଧ୍ୟ ଏହି ବିଦ୍ୟାଳୟର ଶିକ୍ଷକ ମାନେ କାର୍ଯ୍ୟରେ ଅବହେଳା କରୁଥିବା ବହୁବାର ଅଭିଯୋଗ ହୋଇଛି। ଏହା ସତ୍ତ୍ବେ ମଧ୍ୟ ଶିକ୍ଷା ବିଭାଗ ପକ୍ଷରୁ ସମ୍ପୂକ୍ତ ଶିକ୍ଷକ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଅନେକ ଦିନରୁ ସେମାନେ ସ୍କୁଲ ଖୋଲିବାରେ ମନମାନି କରି ଆସୁଛନ୍ତି। ଯାହାକୁ ନେଇ ଅବିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ସୋମବାର କୋକସରା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ରହିଥିଲା, ତଥାପି ସମ୍ପୃକ୍ତ ଶିକ୍ଷକ ଦ୍ବୟ ପ୍ରଶାସନକୁ ଖାତିର ନକରି ସ୍କୁଲ ଖୋଲି ନଥିବା ଘଟଣା ପୂର୍ବରୁ ଚାଲି ଆସିଥିବା ଘଟଣାକୁ ସ୍ପଷ୍ଟ ପ୍ରମାଣିତ କରିଛି। କେବଳ ଯେ’ ଟିର୍ଲିଆମ ନୁହେଁ କୋକସରା ବ୍ଲକର ଉପାନ୍ତ ଅଞ୍ଚଳରେ ସପ୍ତାହରେ ଦିନେ ଅଧେ ବିଦ୍ୟାଳୟ ବନ୍ଦ ରହିବା ଭଲି ଅଭିଯୋଗ ଅନେକ ଥର ହୋଇଛି। ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଅଭିଭାବକ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅନ୍ୟପଟେ ଟିର୍ଲିଆମ ବିଦ୍ୟାଳୟରେ ଶିକ୍ଷକ ଅନୁପସ୍ଥିତ କାରଣରୁ ବନ୍ଦ ରହିବା ଖବର ଦିନ ୧୨ଟା ପର୍ଯ୍ୟନ୍ତ ସିଆରସିସି, କିମ୍ବା କୋକସରା ବିଇଓଙ୍କ ପାଖରେ ନଥିଲା। କୋକସରା ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣୀ ଶିବିରରେ ସାମ୍ବାଦିକ ମାନେ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ତୁରନ୍ତ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ସିଆରସିସି ସ୍କୁଲକୁ ତଦନ୍ତ ପାଇଁ ଯାଇଥିବାବେଳେ କୈାଣସି ସୂତ୍ରରୁ ଖବର ପାଇ ଅପରାହ୍ନରେ ବିଦ୍ୟାଳୟର ଦୁଇ ଜଣ ଶିକ୍ଷକ ତୁରନ୍ତ ସ୍କୁଲକୁ ଦୈାଡିଥିବା ଜଣାପଡିଛି। ଏ ବିଷୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଭାଟିଙ୍କୁ ପଚାରିବାରୁ ସିଆରସିସି ରିପୋର୍ଟ ଦେଲାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ତେବେ କାର୍ଯ୍ୟରେ ଅବହେଳା କରି ସ୍କୁଲ ବନ୍ଦ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ଖେଳୁଥିବା ଦୁଇ ଶିକ୍ଷକଙ୍କ ଉପରେ ଶିକ୍ଷା ବିଭାଗ କି ପଦକ୍ଷେପ ନେଉଛି ତାହା ସମସ୍ତେ ଅପେକ୍ଷା କରିଛନ୍ତି।