ମୃତ ମହିଳାଙ୍କ ପରିବାରକୁ ବିଜେଡି ପକ୍ଷରୁ ସହାୟତା

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଗତ ଜୁନ୍ ମାସରେ ଭୁଲ ଇଞ୍ଜେକସନ ଯୋଗୁଁ ୬ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ତେବେ ଏହି ୬ଜଣଙ୍କ ମଧ୍ୟରେ କୋକସରା ବ୍ଳକ ଲଡୁଗାଁ ଗ୍ରାମ ପଞ୍ଚାୟତ ସୁପାଡ ଗ୍ରାମର ମନବୋଧ ମାଝୀଙ୍କ ସ୍ତ୍ରୀ ଫୁଲମତୀ ମାଝୀ(୫୦)ଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ଏହି ଦୁଃଖଦ ଘଟଣାରେ ମଙ୍ଗଳବାର ବିଜେଡି ଦଳ ପକ୍ଷରୁ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ରାଜେନ୍ଦ୍ର ନାଏକ, ବ୍ଳକ ବିଜେଡି ସଭାପତି ଶୁଶାନ୍ତ ବେହେରା ପ୍ରମୁଖ ସୁପାଡ ଗ୍ରାମରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରିଛନ୍ତି। ପରିବାର ବର୍ଗଙ୍କୁ ଏହି ଦୁଃଖ ସମୟରେ ଧର୍ଯ୍ୟ ରଖିବାକୁ ସମବେଦନା ଜଣାଇବା ସହିତ ବିଜେଡି ଦଳ ପକ୍ଷରୁ ଉକ୍ତ ପରିବାରକୁ ୩୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଛି। ପୂର୍ବତନ ମନ୍ତ୍ରୀ ଶ୍ରୀସିଂଦେଓ ସମସ୍ତ ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏବଂ ମୃତକଙ୍କ ପରିବାର ଲୋକଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ ସହ ସରକାର ଉକ୍ତ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି। ଅନ୍ୟପଟେ ଶାସକ ଦଳର କୌଣସି ନେତା କିମ୍ବା ସ୍ଥାନୀୟ ବିଧାୟକ ମୃତକଙ୍କ ପରିବାର ଲୋକଙ୍କୁ ବର୍ତ୍ତମାନ ସୁଦ୍ଧା ସାକ୍ଷାତ କିମ୍ବା ସମବେଦନା ମଧ୍ୟ ଜଣାଇ ନ ଥିବାରୁ ଲୋକଙ୍କ ମନରେ ଉଦବେଗ ପ୍ରକାଶ ପାଇଛି।