କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ସାମାଜିକ ଗଣମାଧ୍ୟମ ଜରିଆରେ ବିଭିନ୍ନ କମ୍ପାନୀରେ ଚାକିରୀ କରାଇଦେବା ଆଶା ଦେଖାଇ ଠକମାନେ ବିଜ୍ଞାପନ ଜାଲ ବିଛାଇ ଆସୁଛନ୍ତି। ତେବେ ଅନେକ ସଚେତନତା ସତ୍ତ୍ୱେ ଚାକିରୀ ଆଶାୟୀ ଥିବା ଅନେକ ଯୁବପିଢୀ ଏହି ଠକମାନଙ୍କ ଠାରୁ ବର୍ତ୍ତିପାରି ପାରୁନାହାନ୍ତି। ବିଭିନ୍ନ ସମୟରେ ଠକାମୀର ଶିକାର, ଏମିତି କି ଅପହରଣ ଭଳି ଖବର ମଧ୍ୟ ସାମ୍ନାକୁ ଆସୁଛି। ଠିକ୍ ଏପରି ଏକ ଘଟଣା କୋକସରା ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ଘଟିଛି। ସାମାଜିକ ଗଣମାଧ୍ୟମରେ ଯୁବତୀ ଜଣକ ବିଜ୍ଞାପନ ଦେଖି ଯୋଗାଯୋଗ କରିଥିଲେ, ଏବଂ ପରବର୍ତ୍ତୀ ସମୟରେ ଚାକିରୀ ପାଇଁ ଘର ଛାଡ଼ି ରାଜସ୍ଥାନ ସହରକୁ ଯାଇ ନିର୍ଯାତନାର ଶିକାର ହୋଇଛନ୍ତି। ନିର୍ଯାତିତା ଯୁବତୀ ଜଣକ କୋକସରା ଥାନା ଲଡୁଗାଁ ଅଞ୍ଚଳର ଜଣେ ୧୮ ବର୍ଷର ଝିଅ ବୋଲି ଜଣାପଡିଛି।
ବ୍ଳକ ଉପାଧ୍ୟକ୍ଷଙ୍କ ଉଦ୍ୟମରେ ରାଜସ୍ଥାନରୁ ଝିଅ ଉଦ୍ଧାର
ସୂଚନା ଅନୁସାରେ, ପିଡୀତା ଝିଅ ଗତ ୫ଦିନ ତଳେ ନିଖୋଜ ହୋଇଥିବା ଓ ପରବର୍ତ୍ତୀ ସମୟରେ ରାଜସ୍ଥାନରେ ଚାକିରୀ ପାଇଁ ଆସିଥିବା ଏବଂ ତାଙ୍କୁ ଆଶା ଦେଖାଇ ଆଣିଥିବା ଯୁବକ ଦ୍ବାରା ନିର୍ଯାତନାର ଶିକାର ହୋଇଥିବା ସନ୍ଧାନ ମିଳିଥିବା ପରେ ଝିଅର ମା’ ଗତ ୧୫ ତାରିଖରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କୁ ଜଣାଇଥିଲେ। ଘଟଣାକୁ ନେଇ ବ୍ଳକ ଉପାଧ୍ୟକ୍ଷ ଅଗ୍ରୱାଲ ତୁରନ୍ତ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ। ଏହାପରେ ଜିଲ୍ଲା ପୋଲିସ ପ୍ରଶାସନର ସହଯୋଗରେ ସେଠାକାର ଲୋକାଲ ପୋଲିସ ଷ୍ଟେସନ ସହ ଯୋଗାଯୋଗ କରିଥିଲେ। ଏହା ପରେ ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଅନ୍ୟ ଜଣେ ସାଥି ଯୁବକ ରବିନାରାୟଣ ଦାସଙ୍କ ସହ ରାଜସ୍ଥାନ ଅଭିମୁଖେ ବାହାରି ଯାଇ ସେଠାକାର ଉଦୟପୁର ଥାନା ଅନ୍ତର୍ଗତ ପ୍ରତାପ ନଗର ପୋଲିସ ଫାଣ୍ଡିରୁ ଝିଅକୁ ସୁରକ୍ଷିତ ଭାବେ ପାଇଛନ୍ତି। ଏବଂ ଫ୍ଳାଇଟ୍ ଯୋଗେ ନିଜ ଗାଁକୁ ଆଣୁଥିବା ବ୍ଳକ ଉପାଧ୍ୟକ୍ଷ ଶ୍ରୀଅଗ୍ରୱାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନ୍ୟପଟେ ସମ୍ପୃକ୍ତ ଯୁବକଙ୍କୁ ମଧ୍ୟ ସେଠାକାର ପୋଲିସ କାବୁ କରି ଗିରଫ କରିଥିବା ଜଣାପଡିଛି। ଏଣେ ସୁରକ୍ଷିତ ଭାବେ ଝିଅ ଫେରୁଥିବା ଖବର ପରେ ଝିଅ ପରିବାର ସମେତ ଅଞ୍ଚଳବାସୀ ବ୍ଳକ ଉପାଧ୍ୟକ୍ଷଙ୍କ ମହାନିୟତାଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି।