କଂଗ୍ରେସର ବନ୍ଦ ଡାକରାରେ ଜନଜୀବନ ପ୍ରଭାବିତ

ଥୁଆମୁଲ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ବାଲେଶ୍ବର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାର ବିରୋଧ ଏବଂ ଏହାର ନ୍ୟାୟର ଦାବି ନେଇ ଆଜି କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଡାକରା ଦେଇଛି। ଏଥିସହିତ ଭିନ୍ନ ଭିନ୍ନ ରାଜନୈତିକ ଦଳ ମଧ୍ୟ ବନ୍ଦ ଡାକରା ଦେଇଛନ୍ତି।ଓଡିଶା ପ୍ରଦେଶ କଂଗ୍ରେସର ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ବାନରେ ଦିଆଯାଇଥିବା ଏହି ବନ୍ଦ ଡାକରାର ପ୍ରଭାବ ସମଗ୍ର ରାଜ୍ୟରେ ପଡିଥିବା ଦେଖିବାକୁ ମିଳିଛି।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ମଧ୍ୟ ବନ୍ଦ ଡାକରାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି। ଆଜି ସକାଳୁ ବ୍ଲକର ସଦର ମହକୁମା ସମେତ ବଡଛତ୍ରଙ୍ଗ, ସାଇସୁରୁନି ଏବଂ ଡୁମେରପଦର ଠାରେ ସ୍ଥାନୀୟ କଂଗ୍ରେସ କର୍ମୀ ଓ ନେତାମାନେ ଏକାଠି ହୋଇ ଏହି ବନ୍ଦ ଡାକରାରେ ସାମିଲ ହୋଇଛନ୍ତି।ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ଏବଂ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ଡାକ୍ତରଖାନା,ଔଷଧ ଦୋକାନ, ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବା ବ୍ୟତୀତ ଗାଡିମୋଟର ଚଳାଚଳ ବନ୍ଦ ଥିବାବେଳେ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି।ଫଳରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି।