ରାସ୍ତାରେ ତଳି ଲଗାଇ ଗ୍ରାମବାସୀଙ୍କ ପ୍ରତିବାଦ

ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ମୁନ୍ନା ଦଳେଇ): ରାସ୍ତା ଉନ୍ନତିକରଣ ପାଇଁ ଗ୍ରାମବାସୀ ପ୍ରଶାସନ ଏବଂ ଜନ ପ୍ରତିନିଧିଙ୍କୁ ନିବେଦନ କରି ନୟାନ୍ତ ପରେ ପ୍ରତିବାଦ ସ୍ୱରୂପ ରାସ୍ତା ମଝିରେ ଧାନ ତଳି ଲଗାଇଛନ୍ତି । ଏଭଳି ଅଭିନବ ପ୍ରତିବାଦ ଶୈଳୀ ଦେଖିବାକୁ ମିଳିଛି ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ପଲ୍ଲୁଗୁଡା ଗ୍ରାମ ରାସ୍ତାରେ । ପଲ୍ଲୁଗୁଡ଼ା ହନୁମାନ ମନ୍ଦିର ଛକ ଠାରୁ ଫୁପୁ ଗାଁ ଆରଡି ରାସ୍ତା ପର୍ଯ୍ୟନ୍ତ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଗତ ୨୪ ବର୍ଷ କାଳ ବିଜେଡି ଶାସନ କାଳରେ ପକ୍କା ରାସ୍ତା ନିର୍ମାଣ ହୋଇ ପାରିଲା ନାହିଁ କିମ୍ବା ବିଜେପି ର ଏକ ବର୍ଷ ଶାସନରେ ମଧ୍ୟ ମରାମତି ହେଲା ନାହିଁ । ଜଗନ୍ନାଥପୁର ପଞ୍ଚାୟତର ବର୍ତ୍ତମାନ ସରପଞ୍ଚ ଭକ୍ତି ଅମନାତ୍ୟ ରହିଥିବା ବେଳେ ପୂର୍ବ ଅବଧିରେ ମଧ୍ୟ ତାଙ୍କ ସ୍ଵାମୀ ନୀଳାମ୍ବର ଅମନାତ୍ୟ ରହିଥିଲେ । ବାସ୍ତବରେ ସମସ୍ତ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ଏଭଳି ଅବସ୍ଥା ଭୋଗିବାକୁ ପଡୁଛି ବୋଲି ଗ୍ରାମବାସୀ ଅଭିଯୋଗ ବାଢିଛନ୍ତି । ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ସାହୁଙ୍କୁ ଏ ବିଷୟରେ ପଚାରା ଯିବାରୁ କହିଥିଲେ ଯେ, ମୋତେ ଏ ବିଷୟରେ ଗ୍ରାମବାସୀ କୌଣସି ଅଭିଯୋଗ କରି ନାହାଁନ୍ତି ବୋଲି ସୂଚନା ଦେଇଛନ୍ତି । ବର୍ତ୍ତମାନ ମୋ ନଜରରେ ଆସିବା ପରେ ଅବିଳମ୍ବେ ରାସ୍ତାର ମରାମତି କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି । ଏହି ରାସ୍ତା ଦୀର୍ଘ ଏକ କିଲୋମିଟରରୁ ଉର୍ଦ୍ଧ୍ବ ଲମ୍ବ ରହିଥିବାରୁ ପଞ୍ଚାୟତ କିମ୍ବା ପଞ୍ଚାୟତ ସମିତି ଅନୁଦାନରେ ପିଚୁ କିମ୍ବା ସିମେଣ୍ଟ କଂକ୍ରିଟ କରିବା ସମ୍ଭବ ନୁହେଁ ତେଣୁ ଗ୍ରାମ ବିଭାଜନ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି । ରାସ୍ତା ଉପରେ ତଳି ରୋଇବା ସମୟରେ ସ୍ଥାନୀୟ ପ୍ରହଲ୍ଲାଦ ଗରଡ଼ା, ନରହରି ଗୌଡ଼, ରାମ ଜାନୀ, ଟିବୁ ଜାନୀ ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *