କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଳକ ଆମପାଣି ଥାନା ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୁକ୍ତ ଯୁବକ ନକୁଳ ବେହେରା(୨୨)ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ସମ୍ବେଦନଶୀଳ ଘଟଣାକୁ ନେଇ ମଙ୍ଗଳବାର କଂଗ୍ରେସ ଓ ବିଜେପି ଉଭୟ ଦଳର ପ୍ରତିନିଧି ଦଳ ଗାଁକୁ ଯାଇ ନାବାଳିକା ପିଡୀତା ଓ ତାଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରିଛନ୍ତି। କଂଗ୍ରେସର ୫ ଜଣିଆ ମହିଳା ପ୍ରତିନିଧି ଦଳରେ ସାଂସଦ ପ୍ରାର୍ଥୀନି ଦ୍ରୈପଦୀ ମାଝୀଙ୍କ ଅଧ୍ୟକ୍ଷତାରେ ଜ୍ୟୋତ୍ସ୍ନାମୟୀ ବଗର୍ତ୍ତୀ, ମାଣିକ୍ୟ ସୁନା, ମନ୍ଦାକିନୀ ବାଣୁଆ, ପ୍ରଗତି ନାଏକ ପ୍ରମୁଖ ସାମିଲ ହୋଇଥିଲେ। ଏହି ଟିମ୍ ପୀଡ଼ିତା ଓ ତାଙ୍କ ପରିବାର ସହିତ ଆଲୋଚନା କରି ତଥ୍ୟ ସଂଗ୍ରହ କରିଛନ୍ତି। ଏହା ସହିତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲା କଂଗ୍ରେସ କମିଟିକୁ ଏକ ବିସ୍ତୃତ ସୂଚନା ଦେବା ସହିତ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିବା ନେଇ ସୂଚନା ଦେଇଛନ୍ତି। ଏହି ୫ ଜଣିଆ ପ୍ରତିନିଧି ଦଳ ଗସ୍ତ ସମୟରେ ସ୍ଥାନୀୟ ବ୍ଲକ କଂଗ୍ରେସ ସଭାପତି ଲିଙ୍ଗରାଜ ବେହେରା, ତ୍ରିଭୁବନ ନାଏକ, ଅରୁଣ ମାଝୀ, ହରିଶ୍ଚନ୍ଦ୍ର ନାଏକ, ବେନୁପାଣି ଦୁର୍ଗା, ଟିକିଚନ୍ଦ୍ର ଧଙ୍ଗଡ଼ାମାଝୀ, ଅଜୟ ପଣ୍ଡା, ମନୋରଞ୍ଜନ ବଣୁଆ ପ୍ରମୁଖ ସାମିଲ ହୋଇଥିଲେ।
ସେହିପରି ବିଜେପି ପକ୍ଷରୁ ମଧ୍ୟ ଏକ ପ୍ରତିନିଧି ଦଳ ପୀଡ଼ିତାଙ୍କ ଗାଁକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରିଛନ୍ତି। ଘଟଣା ପ୍ରତି ରାଜ୍ୟ ସରକାର ପିଡୀତା ପରିବାର ପ୍ରତି ସହାନୁଭୂତି ପ୍ରକାଶ କରିଛନ୍ତି ଓ ଦୋଷୀ ପ୍ରତି ତୁରନ୍ତ ପଦକ୍ଷେପ ନିଆଯାଇଛି, ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ବିଜେପି ପ୍ରତିନିଧି ଦଳରେ ବିଧାୟକ ପ୍ରତିନିଧି ତ୍ରିନାଥ ଶବରଙ୍କ ନେତୃତ୍ବରେ ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ, ଆମପାଣି ମଣ୍ତଳ ସମ୍ପାଦକ ତୁଲାରାମ ନାଏକ, ଯୁବମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା, ଚକ୍ରଧର ବେଶ୍ରା ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।