ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ସାମାଜିକ ସୁରକ୍ଷା ପାଇଁ ସରକାର ବିଭିନ୍ନ ପ୍ରକାର ଭତ୍ତା ଦେବା ବ୍ୟବସ୍ଥା କରିଛନ୍ତି। ସେହି ଭତ୍ତା ଟଙ୍କା ମାସିକ ଏକ ହଜାର ରୁ ତିନି ହଜାର ପର୍ଯ୍ୟନ୍ତ ରହିଛି। ସେହି ଭତ୍ତା ଅର୍ଥ କିଛି ଭତ୍ତା ହିତାଧିକାରୀଙ୍କୁ ହାତରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବା ବ୍ୟବସ୍ଥା ଥିବାବେଳେକୁ କିଛିଙ୍କ ବ୍ୟାଙ୍କ୍ ଆକାଉଣ୍ଟ ରେ ଭତ୍ତା ଟଙ୍କା ଜମା ହେଉଛି। ଯେଉଁ ମାନଙ୍କ ଭତ୍ତା ବ୍ୟାଙ୍କରେ ଜମା ହେଉଛି ସେମାନଙ୍କୁ ବ୍ୟାଙ୍କ ଯାଇ ଅବା କିଓସ୍କ କୁ ଯାଇ ଟଙ୍କା ଉଠାଇ ଥାଆନ୍ତି। ବିଶେଷ ଭାବେ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ/ବିଧବା/ଭିନ୍ନ କ୍ଷମ ଭତ୍ତା ବ୍ୟାଙ୍କରେ ଜମା ହେଉଛି। ସେଇ ଭତ୍ତା ଧାରୀ ଯେଉଁ ମାନେ ଶାରୀରିକ ଭାବେ ଚଲା ବୁଲା କରି ପାରୁ ନାହାଁନ୍ତି ଏବଂ ଫିଙ୍ଗର ସ୍କାନ ହୋଇ ପାରୁନି ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଉଚିତ୍ ବୋଲି ମତ ପ୍ରକାଶ ପାଉଛି। ସମସ୍ତ ବିଭାଗର କାର୍ଯ୍ୟ ସମୀକ୍ଷା ହେଉଛି କିନ୍ତୁ ସାମାଜିକ ସୁରକ୍ଷା ବିଭାଗର ସମୀକ୍ଷା ବେଳେ ପଞ୍ଚାୟତ ୱାରୀ ଏକ ସର୍ଭେ କରାଇ ଭିନ୍ନକ୍ଷମ ଚାଲି ପାରୁନଥିବା, ଅଶି ବର୍ଷ ଟପି ଥିବା, ଅଶି ପ୍ରତିଶତ ଭିନ୍ନକ୍ଷମଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ସାଂପ୍ରତିକ ସ୍ଥିତି ଭତ୍ତା ପାଉଛନ୍ତି କି ନା ତଥା ଅଶି ପ୍ରତିଶତ ଭିନ୍ନକ୍ଷମ ଥାଇ ପ୍ରମାଣ ପତ୍ର ପାଇବାରେ ପ୍ରତିବନ୍ଧକ କଣ କିଭଳି ପ୍ରଶାସନିକ ସହ ଯୋଗରେ ଦୂର ହୋଇ ପାରିବ ସମୀକ୍ଷା କରିବା ଆବଶ୍ୟକ। ଭତ୍ତା ହଜାରେ କିନ୍ତୁ ସହ ଯୋଗୀଙ୍କ ଭରସାରେ ଯିବା ଆସିବାରେ ଅଧା ଖର୍ଚ୍ଚ ହେଲେ ଭତ୍ତା ପାଇ ଲାଭ ନାହିଁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ଗୌଡ଼ଗୁଡ଼ା ଗ୍ରାମ ନିକଟସ୍ଥ ଇଚ୍ଛାପୁର ଗ୍ରାମର ଶୁଆ ଦେଇ ବାଘ, ବାର୍ଦ୍ଧକ୍ୟ ଭତ୍ତା ହଜାରେ ପାଉଛନ୍ତି କିନ୍ତୁ ଚାଲିବା ପାଇଁ ଅକ୍ଷମ। ତାଙ୍କ ସ୍ଥିତି ଦେଖିଲେ ସେ ଅଶି ପ୍ରତିଶତ ଭିନ୍ନକ୍ଷମ ଭଳି ଦୃଶ୍ୟମାନ ହେଉଛନ୍ତି କିନ୍ତୁ ପ୍ରମାଣ ପତ୍ର ନାହିଁ କି କେହି କରି ଦେଉ ନାହାନ୍ତି ଏପରିକି ସେ ଜାଣି ନାହାନ୍ତି ଅଶି ପ୍ରତିଶତ ପ୍ରମାଣ ପତ୍ର କିଭଳି ପାଈ ହେବ। ଶୁକ୍ରବାର ଦିନ ସେ ଭତ୍ତା ପଇସା ଉଠାଇବାକୁ ତେନ୍ତୁଳିଖୁଣ୍ଟି ସ୍ଥିତ କିଓସ୍କ କୁ ଜଣଙ୍କ ସହାୟତାରେ ଯାଉଥିବା ଦେଖିବାକୁ ମିଳିଛି। ତାଙ୍କ ଯିବା ଆସିବା ବିନା ସହ ଯୋଗୀରେ ସମ୍ଭବ ନୁହଁ। ଶୁଆ ଦେଇଙ୍କୁ ଘରେ ନେଇ ଭତ୍ତା ଦେବା ବ୍ୟବସ୍ଥା ପାଇଁ କହି ଥିଲେ ମଧ୍ୟ କେହି ଶୁଣୁ ନଥିବା କହନ୍ତି ତାଙ୍କ ସହ ଯାଉଥିବା ସମ୍ପର୍କୀୟ। ଏଭଳି ପରଜା ବାରଙ୍ଗପଦର ଗ୍ରାମର ପୋଡଗଡରେ ରହୁଥିବା ସୋମନାଥ ହରିଜନ ପାରାଲିଶିସ ଶିକାର ଶଯ୍ୟାଶାୟୀ ମଧ୍ୟ ଅଶି ପ୍ରତିଶତ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇ ପାରୁ ନାହାଁନ୍ତି। ତାଙ୍କୁ ମେଡିକାଲ କିଭଳି ନିଆଯିବ ପ୍ରମାଣପତ୍ର ପାଇଁ ତାହା ବିଚାର ବିଷୟ। ଅନ୍ ଲାଇନ୍ ପଞ୍ଜିକରଣ କରି ନବରଙ୍ଗପୁର ଜିଲ୍ଲା ଡାକ୍ତରଖାନାକୁ ନିର୍ଦ୍ଦିଷ୍ଟ ତାରିଖରେ ଯାଇ କିଛି ଏଭଳି ଭିନ୍ନ କ୍ଷମ ନିରାଶ ହୋଇଛନ୍ତି ଏଣୁ ପକ୍ଷାଘାତ ଗୁରୁତର ଅବସ୍ଥାରେ ଥିବା ସୋମନାଥଙ୍କ ନୂଆ ଡିଜିଟାଲ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଁ କିଏ ସମୟ ଓ ଅର୍ଥ ଖର୍ଚ୍ଚ କରିବ । ଏଭଳି ଭିନ୍ନକ୍ଷମଙ୍କ ଡିଜିଟାଲ ପ୍ରମାଣପତ୍ର ପାଇଁ କିଛି ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ମତ ପ୍ରକାଶ ପାଉଛି।