କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘର ଆହ୍ୱାନ କ୍ରମେ ଚତୁର୍ଥ ଦିନରେ ବିଦ୍ୟାଳୟ ଆଗରେ ଅଭିଭାବକ ମାନଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି କ୍ରମରେ କୋକସରା ବ୍ଲକ ବଙ୍ଗୋମୁଣ୍ଡା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ କଳା ବ୍ୟାଚ୍ ପିନ୍ଧି କାର୍ଯ୍ୟରେ ଯୋଗଦେଇଛନ୍ତି। ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଜିଲ୍ଲାପାଳଙ୍କୁ ୧୩ ଦଫା ସମ୍ବନ୍ଧୀୟ ଦାବିପତ୍ର ଦେବା ସହ ବିଧାୟକଙ୍କ ଦ୍ବାରସ୍ଥ ହୋଇଛନ୍ତି। ଦୀର୍ଘ ଦଶନ୍ଧିର ବିଭିନ୍ନ ସମସ୍ୟାର ସମାଧାନ ପାଇଁ କଳାବ୍ୟାଜ ପିନ୍ଧି ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଆନ୍ଦୋଳନକୁ ଓହ୍ଲେଇଛି ସଂଘ। ଓଏଭି ଛାତ୍ରଛାତ୍ରୀମାନଙ୍କୁ ଏନ୍ଏମ୍ଏମ୍ଏସ୍ ପରୀକ୍ଷାରେ ଅଂଶଗ୍ରହଣ ପାଇଁ ଅନୁମତି, ନିଟ୍ ଏବଂ ଜେଇଇ ପରୀକ୍ଷାରେ ୧୫% ସ୍ଥାନ ସଂରକ୍ଷଣ, ଓଏଭି କର୍ମଚାରୀଙ୍କୁ ସରକାରୀ ମାନ୍ୟତା ଦେବା, ୟୁନିଫର୍ମ କ୍ୟାଡ଼ର ମାନ୍ୟତା ଦେବା, ଶାରୀରିକ ଶିକ୍ଷା, ସଙ୍ଗୀତ, ଏବଂ କମ୍ପ୍ୟୁଟର ଶିକ୍ଷକଙ୍କୁ ସମାନ କାମକୁ ସମାନ ଦରମା ପାଇଁ ୪୬୦୦ ଗ୍ରେଡ଼ ପେ ପ୍ରଦାନ କରିବା, ପ୍ରତ୍ୟେକ ବିଦ୍ୟାଳୟରେ ସାଇନ୍ସ, କମର୍ସ ଭଳି ଆର୍ଟ୍ସ ଷ୍ଟ୍ରିମ୍ ଖୋଲିବା ସହ ଓଡ଼ିଆ, ହିନ୍ଦୀ, ସଂସ୍କୃତ ବିଷୟ ପାଇଁ ପିଜିଟି ପଦବୀ ସୃଷ୍ଟି କରିବା, ଆର୍ଟ ଶିକ୍ଷକ ପାଇଁ ଟିଜିଟି ଭିଜୁଆଲ ଆର୍ଟ ମାନ୍ୟତା ଦେବା, ପ୍ରିନ୍ସିପାଲ ମାନଙ୍କ ଗ୍ରେଡ଼ ପେ ସମସ୍ୟାର ସମାଧାନ କରିବା, ଓଏଭି କର୍ମଚାରୀଙ୍କ ସନ୍ତାନ ପାଇଁ ପ୍ରବେଶ ହେତୁ ବିଶେଷ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିବା, କ୍ଲାର୍କ କର୍ମଚାରୀଙ୍କ ଚାକିରି ରେ ନିୟମିତ କରିବା, ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ ଶିକ୍ଷକଙ୍କ ପୂର୍ବ ସେବା ଅବଧି କୁ ବର୍ତ୍ତମାନ ସେବାରେ ମିଶାଇବା, ପୂର୍ବରୁ ଓଏଭିରେ ଟିଜିଟି ଭାବେ କାର୍ଯ୍ୟ କରି ପୁନର୍ବାର ପିଜିଟି ଭାବେ ଯୋଗଦେଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଚାକିରି ଓ ଦରମାରେ ସୁରକ୍ଷା ପ୍ରଦାନ କରିବା, ପୂର୍ବବତ୍ ରାଜ୍ୟ ସ୍ତରରେ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ ପାଇଁ ଅର୍ଥ ମଞ୍ଜୁର କରିବା, ପିଏମ୍ ଶ୍ରୀ ସ୍କୁଲରେ ଓଏଭି କୁ ଅନ୍ତର୍ଭୁକ୍ତ କରିବା ଆଦି ସମସ୍ୟାର ସମାଧାନ କରି ଶିକ୍ଷାର ଗୁଣବତ୍ତା କର୍ମଚାରୀଙ୍କ ନ୍ୟାୟ ପାଇଁ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।
